Categories: ଜାତୀୟ

ଦିଲ୍ଲୀରେ ପୁଣି ହିଟ୍‌ ଆଣ୍ଡ ରନ୍‌ର ଆଉ ଏକ ଘଟଣା: ସ୍କୁଟିକୁ ଧକ୍କା ଦେଇ ୩୦୦ ମିଟର ଘୋଷାଡି ନେଲା କାର୍‌, ଜଣେ ମୃତ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ କାଞ୍ଜଓ୍ବାଲା ଭଳି ହିଟ୍‌, ରନ୍‌ ଏବଂ ଡ୍ରାଗ୍‌ର ଏକ ନୂଆ ମାମଲା ସାମ୍ନାକୁ ଆସିଛି। କେଶବ ପୁରମ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟିରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି।

କହ୍ନୈୟା ନଗର ଅଞ୍ଚଳ ପ୍ରେରଣା ଚୌକରେ କାର୍‌ଟି ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଗାଡିର ବୋନେଟ ଏବଂ ଓ୍ବିଣ୍ଡସ୍କ୍ରିନ୍‌ ମଝିରେ ଫସି ଯାଇଥିଲେ। ସ୍କୁଟି ମଧ୍ୟ କାରର ବମ୍ପରରେ ଫସି ଯାଇଥିଲା। ହେଲେ କାର ଆରୋହୀମାନେ ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ସେମାନେ ସ୍କୁଟି ଏବଂ ବ୍ୟକ୍ତିଙ୍କୁ ୩୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। ପାଟ୍ରୋଲିଂ କରୁଥିବା ପିସିଆର୍‌ ଏହା ଦେଖି ଗାଡିକୁ ପିଛା କରି ଅଟକାଇଥିଲା। ପରେ ସ୍କୁଟି ଆରୋହୀ କୈଳାଶ ଭଟ୍ଟନାଗର ଏବଂ ସଚିନ ଖରିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କୈଳାଶଙ୍କୁ ମୃତ ଘୋଷଣା କରିଥିଲେ।

ଗାଡିରେ ଥିବା ୫ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ୨ ଅଭିଯୁକ୍ତ ପ୍ରବୀଣ ଏବଂ ଦିବ୍ୟଶଙ୍କୁ ଗିରଫ କରିଥିଲା। ପରେ ଅବଶିଷ୍ଟ ତିନି ଅଭିଯୁକ୍ତ ହର୍ଷ ମୁଦଗାଲ, ଓମ ଭରଦ୍ୱାଜ ଏବଂ ଦେବନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କୁହାଯାଉଛି ଯେ ଉଭୟ ସ୍କୁଟି ଆରୋହୀ ଏକ ପୋଷାକ କାରଖାନାରେ କାମ କରୁଥିଲେ। ଗିରଫ ଅଭିଯୁକ୍ତମାନେ ଛାତ୍ର ଥିବା ବେଳେ ସମସ୍ତେ ମଦ୍ୟପାନ କରିଥିବା ପୋଲିସ କହିଛି।

Share