ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ହଠାତ୍‌ ଦୋକାନ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କିଛି ସମୟ ମଧ୍ୟରେ ନିଆଁର ପ୍ରଖରତା ବଢ଼ିବାରେ ଲାଗିଥିଲା। ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ନିଆଁ ଅଧିକ ଭୟଙ୍କର ହୋଇଯିବାରୁ ଏହାକୁ ଆୟତ୍ତ କରିବା ସମ୍ଭବ ହୋଇ ନ ଥିଲା।

ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା। ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ଜଣାପଡ଼ିଛି।

ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା ବିଭିନ୍ନ ଫ୍ୟାନ୍ସି ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ପୋଡ଼ି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ମୋଟ କ୍ଷୟକ୍ଷତିର ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ।

 

Dharitri – Odisha’s No.1 Odia Daily

 

Share