ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ ପାଟଣା ଥାନା ପୋଲିସ ତତ୍ପରତା ପ୍ରକାଶ କରି ଶୁକ୍ରବାର ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ପାଟଣା ଥାନା ବାରତଣିଆ ଗାଁର କୁଶୁନୁ ମୁଣ୍ଡା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ଯୁବକ ସେମାନଙ୍କ ଗୁଟ୍କା ଦୋକାନକୁ ଆସିଥିଲା। ସେଠାରେ ଶିଶୁ କନ୍ୟାକୁ ଏକୁଟିଆ ଦେଖି ସେ ତାକୁ ଜବରଦସ୍ତି ଉଠାଇ ନେଇ ନିକଟସ୍ଥ ଏକ କାଜୁ ଗଛ ମୂଳରେ ବଳାତ୍କାର କରିଥିଲେ।
ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ଏନେଇ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକକୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

