ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ମେସିନ ଭିତରେ ପଶିଗଲା ଚାଷୀଙ୍କ ମୁଣ୍ଡ-ଗୋଡ଼, ତାପରେ…

ପଟ୍ଟାଙ୍ଗି,୨୩ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ନିଜ ଚାଷଜମିରେ ପାୱାର ଟିଲର ଯୋଗେ ଚାଷ କରୁଥିବା ସମୟରେ ଜଣେ ଚାଷୀଙ୍କଙ୍କ ଗୋଡ଼ ଏବଂ ମୁଣ୍ଡ କଟିଯାଇଛି । ଚାଷଜମିରେ ମୃତଦେହ ପଡିରହିଥିବା ବେଳେ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାଇ ଉକ୍ତ ଗ୍ରାମର ପାଣ୍ଡୁ କଡ୍ରି ଦୁଇ ଦିନ ପୂର୍ବେ କିଣି ଆଣିଥିବା ପାୱାର ଟିଲର ମେସିନ୍ ଯୋଗେ ସୋମବାର ନିଜ ଜମିରେ ଚାଷ କରୁଥିଲେ । ଏହି ସମୟରେ ପାୱାର ଟିଲର ମେସିନରେ ଗୋଡ଼ ଟାଣି ହୋଇ ଭିତରେ ପଶି ଯାଇଥିଲା । ଏହାକୁ ନେଇ ଚାଷୀ ମୁଣ୍ଡକୁ ତଳକୁ କରିଥିବା ବେଳେ ମୁଣ୍ଡ ଉକ୍ତ ମେସିନ୍ ଭିତରକୁ ଭିଡି ହୋଇ ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଚାଷୀଙ୍କ ମୁଣ୍ଡ କଟିଯିବା ସହ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଏହିପରି ଦୃଶ୍ୟ ଦେଖି ଚାଷଜମି ନିକଟରେ ରହିଥିବା ଗ୍ରାମରୁ ଗ୍ରାମବାସୀ ଏବଂ ସମ୍ପର୍କୀୟମାନେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରି ପାରିନଥିଲେ ।

ସେପଟେ କୋରାପୁଟ ଉପଜିଲାପାଳ ଫାବି ରସିଦ୍ ଖବର ପାଇବା ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଜଣାଇ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତହସିଲଦାର ଧାରୁଆଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ଏବଂ ପଟ୍ଟାଙ୍ଗି ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳେ ବ୍ଲକ୍ ଉପାଧ୍ୟକ୍ଷ ତ୍ରିନାଥ କଟଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ ।

 

Dharitri – Odisha’s No.1 Odia Daily

Share