ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବାରୁ ତାଙ୍କର ମଧ୍ୟ ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟ ବାଇକରେ ଥିବା ଦୁଇ ଆହତ ହେଲେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ତେନ୍ତୁଳିପଡ଼ାର କ୍ଷିତିରାମ ପୋଟା ଓ ମିତ୍ରଭାନୁ ମାଝୀ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ତେବେ ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ନ ହେବାରୁ କୋକସରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ମୃତକଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ପ୍ରାଥମିକ ଚିକିତ୍ସା ପରେ ତିନିଜଣ ଗୁରୁତର ଆହତଙ୍କ ଅବସ୍ଥା ଗମ୍ଭୀର ଥିବାରୁ ସେମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ, କୋକସରା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଘଟଣାର କାରଣ ଓ ମୃତକଙ୍କ ପରିଚୟ ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି।

ସମୟରେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁ ଆହତମାନେ ଶୀଘ୍ର ଚିକିତ୍ସା ସେବା ପାଇପାରିଥିବାରୁ ସ୍ଥାନୀୟ ଲୋକେ ବିଭାଗର ପ୍ରଶଂସା କରିଛନ୍ତି।

Dharitri – Odisha’s No.1 Odia Daily

Share