କାନକୁ ଶୁଭେ ଭୟଙ୍କର ଶବ୍ଦ…

ବେଳେ ବେଳେ ନିଦ ଆସିଲା ବେଳେ ବା ନିଦରୁ ଉଠିଲା ବେଳେ ଅବାସ୍ତବ ଭୟଙ୍କର ଶବ୍ଦ କାନକୁ ଶୁଭାଯାଏ। ଏହା ଯୋଗୁ ମନରେ ଭୟ ଜାତ ହୋଇଥାଏ। ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ କୁହାଯାଇଥାଏ। ଏଭଳି ଶବ୍ଦ ଅଳ୍ପ ସମୟ ପାଇଁ ଶୁଣାଯାଏ। ଏହାକୁ ହାଲ୍ୟୁସିନେସନ ସ୍ଥିତି ମଧ୍ୟ କୁହାଯାଏ । ଏଭଳି ସମସ୍ୟା ସାଂଘାତିକ ନ ହେଲେ ବି ଏହା ଜୀବନ ଶୈଳୀକୁ ପରିବର୍ତ୍ତନ କରି ଦେଇଥାଏ। ବହୁ ସମୟରେ ଧପ୍‌ କରି ଏକ ଆଲୋକ ଆଖି ଆଗରେ ଦେଖାଯାଇଥାଏ। ଏହି ସମସ୍ୟାରେ ମାନସିକ ଯନ୍ତ୍ରଣା ହୋଇଥାଏ। ଆଖି ବନ୍ଦ କଲେ ଡର ଲାଗେ। ସମସ୍ୟା ଭୋଗୁଥିବା ଲୋକ ନ ଶୋଇ ସମୟ ବିତାଏ।
ଏହି ରୋଗର ସୃଷ୍ଟି ନେଇ ଡାକ୍ତରୀ ଚିକିତ୍ସାରେ କୌଣସି ଏକ ନିଦ୍ଦିଷ୍ଟ କାରଣ ସମ୍ପର୍କରେ କୁହାଯାଇ ନ ଥାଏ। କାନ ସମସ୍ୟା, ଟେମ୍ପୋରାଲ ଲୋବ ସିଜର, ସ୍ନାୟୁ ଗୋଳମାଳ ଅବା କିଛି ଜେନେଟିକ ପରିବର୍ତ୍ତନ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର କହିଥାନ୍ତି। ଏହାକୁ ନିଦ୍ରା ହୀନତା ଏବଂ ମୁଣ୍ଡ ବିନ୍ଧା ସମସ୍ୟା ଭାବେ ବର୍ଗୀକରଣ କରାଯାଇଥାଏ । ବହୁ ସମୟରେ ଏହି ସମସ୍ୟା ଚିହ୍ନଟ ହୋଇପାରେ ନାହିଁ । ଏହାର କୌଣସି ସଫଳ ଚିକିତ୍ସା ମଧ୍ୟ ନାହିଁ। ଏହି ସମସ୍ୟାରେ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି। ପ୍ରଥମେ ୧୮୭୬ରେ ଏହି ରୋଗ ଚିହ୍ନଟ ହୋଇଥିଲା। ପରେ ୧୯୮୮ରେ ଏହାର ନାମକରଣ କରା ଯାଇଥିଲା।