ଆଶାରେ ରହିଗଲା ଇଞ୍ଜିନିୟର ହେବା

କେନ୍ଦୁଝର,୧୨ା୪: କେନ୍ଦୁଝର ଟାଉନ ଥାନା ଅଧୀନ ଜାମୁନାଳିଆଠାରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜ ପଛପଟ ଥିବା ପୋଖରୀରେ ବୁଡ଼ି ସୋମବାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଇଞ୍ଜିନିୟରିଂ କଲେଜର ମେକାନିକାଲ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଶାଶ୍ୱତ ମହାପାତ୍ର (୨୧)। ସୂଚନା ଅନୁଯାୟୀ, ସୋମବାର ଶାଶ୍ୱତ ତାଙ୍କ ୨ଜଣ ସାଙ୍ଗଙ୍କ ସହ କଲେଜ ପଛପଟେ ଥିବା ଜାମୁନାଳିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପ୍ରଥମେ ଶାଶ୍ୱତ ଗାଧୋଇବାକୁ ପୋଖରୀକୁ ଡେଇଁଥିଲେ। ପହଁରା ଶିଖି ନ ଥିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ପୋଖରୀ ହୁଡ଼ାରେ ଛିଡ଼ା ହୋଇଥିବା ଅନ୍ୟ ଦୁଇ ସାଙ୍ଗ ତୁରନ୍ତ ଗାଁ ଲୋକ ଏବଂ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଗାଁ ଲୋକ ଏବଂ କଲେଜ ଛାତ୍ର ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ଶାଶ୍ୱତଙ୍କ ମୃତଦେହ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ମୃତ ଶାଶ୍ୱତଙ୍କ ଘର ରାଉଲକେଲା ସେକ୍ଟର -୭ରେ ହୋଇଥିବା ବେଳେ ତାଙ୍କ ପିତାଙ୍କ ନାମ ରାଜେନ୍ଦ୍ର ମହାପାତ୍ର। ଶାଶ୍ୱତଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା କଲେଜ ଅଧ୍ୟକ୍ଷ ତ୍ରିଲୋଚନ ସାହୁ କହିଛନ୍ତି।