ଅନୁଗୋଳ ଜିଲାରେ ପ୍ରଥମ ହେବାକୁ ନ ଥିଲା ଆଶା: ଟପ୍ପର କହିଲେ କିଛି ଏମିତି କଥା

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାର ଛାତ୍ର ସୌମ୍ୟରଞ୍ଜନ ସାମନ୍ତ ଚଳିତ ବର୍ଷ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୭୫(୯୫.୮୩%) ନଂ. ରଖି ଜିଲା ଟପ୍ପର ହୋଇଛନ୍ତି। ସୌମ୍ୟରଞ୍ଜନଙ୍କ ଘର ଢେଙ୍କାନାଳ ଜଲା ଚିନ୍ତାପୋଖରୀ ହୋଇଥିବା ବେଳେ ସେ ତାଳଚେର ରେମୁଆଁ ଅଞ୍ଚଳରେ ରହୁଛନ୍ତି । ବାପା ହେମନ୍ତ କୁମାର ସାମନ୍ତ ଏକ ଘରୋଇ କମ୍ପାନୀ କର୍ମଚାରୀ ତଥା ଟ୍ୟୁଶନ ଶିକ୍ଷକ ହୋଇଥିବା ବେଳେ ମା’ ଅର୍ଣ୍ଣପୂର୍ଣ୍ଣା ଜଣେ ଗୃହିଣୀ। ପରିଶ୍ରମ କରୁଥିବା ବେଳେ ସୌମ୍ୟ ଯେ, ଜିଲାରେ ପ୍ରଥମ ହେବେ କେବେ ଆଶା ରଖି ନ ଥିବା କହିଛନ୍ତି। ମାତ୍ର ଭଲ ନଂ. ରହିବ ବୋଲି ଆଶା କରିଥିଲେ। ପରିଶ୍ରମର ଫଳ ଭଗବାନ ଦେଇଥିବା କହିଛନ୍ତି। ଏହାର ଶ୍ରେୟ ବାପା, ମା’ଙ୍କ ସହ ଗୁରୁ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି। ତେବେ ଭବିଷ୍ୟତରେ ପ୍ରଶାସନିକ କ୍ଷେତ୍ରରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ଯୋଗଦେଇ ଲୋକଙ୍କ ସେବା କରିବାକୁ ଇଚ୍ଛୁକ ଥିବା ସେ କହିଛନ୍ତି।