Categories: ଜାତୀୟ

ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା

ଶାହାଜାହାନ୍‌ପୁର,୭।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍‌ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ ନାବାଳିକା(୧୬)ଙ୍କୁ ତାଙ୍କ ବାପା ଓ ଭାଇ ମିଶି ମାଡ଼ମାରିବା ସହ ଜୀବନରେ ମାରିଦେଇଛନ୍ତି। ଏମିତିକି ନାବାଳିକାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି। ଏହି ନିର୍ମମ ଘଟଣାଟି ମଙ୍ଗଳବାର ଘଟିଥିବାବେଳେ ପୋଲିସ ମୃତା ଯୁବତୀଙ୍କ ବାପାଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତ ଭାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ନାବାଳିକା ଜଣକ ଗତ ୨୩ ତାରିଖରୁ ନିଖୋଜ ଥିବାବେଳେ ପରିବାର ପକ୍ଷରୁ ଥାନାରେ କୌଣସି ରିପୋର୍ଟ ଦାଖଲ କରାଯାଇ ନ ଥିବା ପୋଲିସ କହିଛି। ନାବାଳିକା ଜଣକ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ ଓ ସେଠାରୁ ନିଖୋଜ ହୋଇଯାଇଥିଲେ। କିଏ ଗର୍ଭବତୀ କଲା, ସେନେଇ ପରିବାର ଲୋକଙ୍କୁ ସେ ଫେରିବା ପରେ ଲୁଚାଇଥିଲେ। ଘଟଣାର ପୋଲିସ ତଦନ୍ତ ଜାରି ରହିଛି।
ରିପୋର୍ଟ ମୁତାବକ, ନିଖୋଜ ନାବାଳିକା ଫେରିବା ପରେ ଗର୍ଭବତୀ ଥିବାରୁ ଲୋକମାନେ ପରିବାର ସଦସ୍ୟଙ୍କୁ ଟାହିଟାପର କରିଥିଲେ। ଏଥିରୁ ମୁକ୍ତି ପାଇବା ଲାଗି ବାପା ଓ ବଡ଼ଭାଇ ମିଶି ଯୁବତୀ ଜଣକୁ ପିଟି ପିଟି ହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ନାବାଳିକାଙ୍କ ବାପା ଏହା ସ୍ବୀକାର ମଧ୍ୟ କରିଛନ୍ତି। ପୋଲିସ ବାପା ଓ ଭାଇଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୨୦୧ ଲଗାଇ ମାମଲା ରୁଜୁ କରିଛି। ଅନ୍ୟ ପରିବାର ସଦସ୍ୟଙ୍କୁ ପୋଲିସ ଜେରା କରିଥିବାବେଳେ ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ନ ଥିବା କହିଛି। ନାବାଳିକାଙ୍କୁ କିଏ ଗର୍ଭବତୀ କରିଛି, ସେନେଇ ପୋଲିସ ତନାଘନା ଚଳାଇଛି।

Share