Categories: ଜାତୀୟ

‘ବନ୍ଦେ ମାତରମ୍‌’କୁ ମିଳୁ ଜାତୀୟ ସଙ୍ଗୀତ ଭଳି ସମ୍ମାନ, ହାଇକୋର୍ଟରେ ପିଟିଶନ…

ନୂଆଦିଲ୍ଲୀ, ୨୪।୫ : ଜାତୀୟ ସଂଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମାତରମ୍‌’କୁ ସମାନ ସମ୍ମାନ ଦିଆଯାଉ। ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଛି। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଛନ୍ତି। ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ସଙ୍ଗୀତଟି ବହୁତ ଗାନ କରାଯାଇଥିଲା ବୋଲି ଆବେଦନରେ କୁହାଯାଇଛି। ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ କରିବା ସହିତ ‘ବନ୍ଦେ ମାତରମ୍‌’ ଗାନ କରିବା କିମ୍ବା ବାଦନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି କୋର୍ଟଙ୍କ ନିକଟରେ ଦାବି କରାଯାଇଛି।

ମାଡ୍ରାସ କୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ୨୪ ଜାନୁୟାରୀ ୧୯୫୦ ରେ ପ୍ରଦାନ କରାଯାଇଥିବା ରାୟକୁ ପାଳନ କରାଯିବାକୁ ଏହି ପିଟିଶନରେ ଦାବି କରାଯାଇଛି। ଏହି ଆବେଦନରେ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ‘ବନ୍ଦେ ମାତରମ୍‌’ ଗାନ କରିବା ଏବଂ ଦେଶର ଅଖଣ୍ଡତା ବଜାୟ ରଖିବା ସମସ୍ତ ଭାରତୀୟଙ୍କ କର୍ତ୍ତବ୍ୟ। ଏହା ବ୍ୟତୀତ ଜନ ଗଣ ମନ ଏବଂ ବନ୍ଦେ ମାତରମ୍‌କୁ ସମାନ ଦେବା ମଧ୍ୟ ସରକାରଙ୍କ ଦାୟିତ୍ୱ।

ଆବେଦନରେ ଉଲ୍ଲେଖ କରାଯାଇଛି ଯେ ସମ୍ବିଧାନର ପ୍ରଣେତାମାନେ ଏହାକୁ ସମ୍ମାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ‘ବନ୍ଦେ ମାତରମ୍‌’ କାହାର ଭାବନାକୁ ଆଘାତ କରିବାର କୌଣସି ପ୍ରଶ୍ନ ନାହିଁ। ଏକ ରାଷ୍ଟ୍ରକୁ ଦୃଷ୍ଟିରେ ରଖି ଜନ ଗଣ ମନ ଭାବନା ପ୍ରକାଶ କରିଥିବାବେଳେ ‘ବନ୍ଦେ ମାତରମ୍‌’ ଦେଶର ଚରିତ୍ର ବିଷୟରେ କୁହାଯାଇଛି ତେଣୁ ଉଭୟ ସଙ୍ଗୀତକୁ ସମାନ ମାନ୍ୟତା ମିଳିବା ଉଚିତ ବୋଲି ଆବେଦନପତ୍ରରେ କୁହାଯାଇଛି।

ଆବେଦନରେ କୁହାଯାଇଛି ଯେ ‘ବନ୍ଦେ ମାତରମ୍‌’ ଗାନ ଉପରେ ଆପତ୍ତି ଉଠିବା ଭଳି ଏପରି କେତେକ ପରିସ୍ଥିତି ଉପୁଜିଥାଏ। କିନ୍ତୁ ‘ବନ୍ଦେ ମାତରମ୍‌’କୁ ସମ୍ମାନ ଦେବା ସମସ୍ତ ଭାରତୀୟଙ୍କର କର୍ତ୍ତବ୍ୟ । ଭାରତର ସ୍ବାଧୀନତା ପାଇଁ ଆନ୍ଦୋଳନ ଚାଲିଥିବାବେଳେ ‘ବନ୍ଦେ ମାତରମ୍‌’ ସମଗ୍ର ଦେଶର ଚିନ୍ତାଧାରା ଏବଂ ମୂଳ ଲକ୍ଷ୍ୟ ପାଲଟିଥିଲେ। ଲୋକମାନେ ‘ବନ୍ଦେ ମାତରମ୍‌’ ସଙ୍ଗୀତ ଗାନ କରୀ ଶୋଭାଯାତ୍ରା କରୁଥିଲେ ବୋଲି ପିଟିଶନରେ ଉଲ୍ଲେଖ କରାଯାଇଛି।

Share