Categories: ଜାତୀୟ

ଆନ୍ଧ୍ରରେ ଅନର କିଲିଂ

ଅମରାବତୀ, ୬।୧୧: ଆନ୍ଧ୍ର ବିଶାଖାପାଟଣାରେ ଜଣେ ବ୍ୟକ୍ତି ନିଜ ୧୬ ବର୍ଷୀୟା ଝିଅକୁ ହତ୍ୟା କରିଛନ୍ତି। ହତ୍ୟା ପରେ ଅଭିଯୁକ୍ତ ଭାରା ପ୍ରସାଦ ସୋସିଆଲ ମିଡିଆରେ ଅପରାଧ ସ୍ବୀକାର କରିଥିବା ଏକ ଭିଡିଓ ଶେୟାର ମଧ୍ୟ କରିଛନ୍ତି। ଝିଅ ନିକିତା ଶ୍ରୀ ପଡ଼ିଶା ଘରେ ରହୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିବାବେଳେ ପାଠପଢ଼ାରେ ମନ ଦେଉ ନ ଥିଲେ। ଏହାକୁ କେନ୍ଦ୍ରକରି ପ୍ରସାଦ ନିକିତାଙ୍କୁ ହତ୍ୟା କରିଥିବା ଜାରି ଭିଡିଓରେ କହିଛନ୍ତି। ପ୍ରେମିକ ସହିତ ମିଳାମିଶା ନ କରିବାକୁ ସେ ନିକିତାଙ୍କୁ ବାରମ୍ବାର ମନା କରୁଥିଲେ। ବାପା ପ୍ରସାଦଙ୍କ କଥାକୁ ନ ମାନି ପ୍ରେମିକ ସହ ନିୟମିତ ମିଳାମିଶା ଚଳାଇଥିଲେ ନିକିତା। ଝିଅର ଏ ପ୍ରକାର ମନମୁଖି କାର୍ଯ୍ୟ ପାଇଁ ପ୍ରସାଦ ରାଗିଯାଇ ଝିଅଙ୍କୁ ହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଥିଲେ। ଶୁକ୍ରବାର ସନ୍ଧ୍ୟା ସାଢ଼େ ୪ଟାବେଳେ ଭାରା ବେଲ୍ଟରେ ନିକିତାଙ୍କ ଗଳାଚିପି ହତ୍ୟା କରିଥିବା ଭାଇଗାଜ୍‌ ସିଟି ଓ୍ବାନ୍‌ ଟାଉନ୍‌ ପୋଲିସ କହିଛି। ୧୩ ବର୍ଷ ପୂର୍ବେ ପ୍ରସାଦଙ୍କ ସ୍ତ୍ରୀ ଜଣେ ଯୁବକଙ୍କ ସହ ଫେରାର୍‌ ହୋଇଯାଇଥିବାବେଳେ ଦୁଇ ବର୍ଷ ପୂର୍ବେ ତାଙ୍କ ବଡ଼ ଝିଅ ମଧ୍ୟ ପ୍ରେମିକ ସହ ଘର ଛାଡ଼ି ଚାଲିଯାଇଥିଲେ। ପେସାରେ ଆମ୍ବୁଲାନ୍ସ ଡ୍ରାଇଭର ପ୍ରସାଦଙ୍କୁ ପୋଲିସ ଗିରଫ କରିବା ସହ ଆଇପିସି ଧାରା ୩୦୨ ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି। ପୋଲିସ ଘଟଣା ସମ୍ପର୍କରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଥିବା ସୂଚନା ଦେଇଛି।

Share