ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ଏପ୍ରିଲ ୧୦ରେ ପାଳିତ ହୋଇଆସୁଛି ‘ବିଶ୍ୱ ହୋମିଓପାଥି ଦିବସ’। ଚଳିତ ବର୍ଷ ଏହି ଦିବସ ଲାଗି ପ୍ରସଙ୍ଗ ରହିଛି-‘ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି’। ହୋମିଓପାଥିର ବିକାଶରେ ଡା. ହ୍ୟାନିମାନଙ୍କ ଅବଦାନ ଚିର ସ୍ମରଣୀୟ। ଏ ବିଷୟରେ ବିଜୁ ପଟ୍ଟନାୟକ ହୋମିଓପାଥି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବ୍ରହ୍ମପୁରର ଅଧ୍ୟାପିକ ଡା. ସୁକାନ୍ତି ସୁଚରିତା ଷଡ଼ଙ୍ଗୀ କୁହନ୍ତି, ”ଦୀର୍ଘ ବର୍ଷ ଧରି ହୋମିଓପ୍ୟାଥି ଚିକିତ୍ସା ସମଗ୍ର ବିଶ୍ୱରେ ବେଶ୍ ଆଦୃତ ହୋଇଛି। ପ୍ରାୟ ୮୦ରୁ ଅଧିକ ଦେଶରେ ଏହି ଚିକିତ୍ସା ପ୍ରଣାଳୀ ଚାଲୁ ରହିଛି। ହୋମିଓପାଥିକ ଚିକିତ୍ସା ମାଧ୍ୟମରେ ଥଣ୍ଡା, କାଶ, ଜ୍ୱର ପରି ସାଧାରଣ ରୋଗ ବ୍ୟତୀତ ଆଜ୍ମା (ଶ୍ୱାସ), ଆଣ୍ଠୁଗଣ୍ଠି ସମସ୍ୟା, ଗ୍ୟାଷ୍ଟ୍ରିକ, ସ୍ନାୟୁ ରୋଗ, ସ୍ପଣ୍ଡିଲୋସିସ, ପାରାଲିସିସ ବା ପକ୍ଷାଘାତ, ମାନସିକ ରୋଗ ଏବଂ ଆମର ଜୀବନଶୈଳୀ ସହ ଜଡିତ ଉଚ୍ଚ ରକ୍ତଚାପ, ମଧୁମେହର ମଧ୍ୟ ସଫଳ ଚିକିତ୍ସା କରାଯାଇପାରୁଛି। ଏକଥା ଜାଣିବା ଦରକାର ଯେ ଏହି ଚିକିତ୍ସାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଯଦି ଜଣେ ବ୍ୟକ୍ତି ହୋମିଓପାଥି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଠିକ୍ ଭାବରେ ଚିକିତ୍ସିତ ହୁଅନ୍ତି ତେବେ ଚିକିତ୍ସା କରାଯାଉଥିବା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ସମ୍ଭବ ହୋଇଥାଏ। ଏଥିସହ ଏହି ଚିକିତ୍ସା ପଦ୍ଧତିରେ ରୋଗୀକୁ ସ୍ବଳ୍ପ ଖର୍ଚ୍ଚ କରିବାକୁ ପଡ଼ିଥାଏ। ମୂଳ କଥା ହେଲା ହୋମିଓପାଥି ଚିକିତ୍ସା ସମୟରେ ରୋଗୀର କେବଳ ରୋଗକୁ ନୁହେଁ, ରୋଗୀର ଶାରୀରିକ ଏବଂ ମାନସିକ ଅବସ୍ଥାକୁ ଲକ୍ଷଣ ରୂପେ ବିଚାରକୁ ନେଇ ଚିକିତ୍ସା କରାଯାଏ। ହୋମିଓପାଥି ଚିକିତ୍ସା ପଦ୍ଧତିକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମାନ୍ୟତା ଦେଇଛି।

