ତ୍ୱଚାର ଘରୋଇ ଉପଚାର

ବିୟୁଟି ପାର୍ଲର ଯାଇ ମହିଳାମାନେ ନିଜ ନିଜର ବିୟୁଟି ଟ୍ରିଟମେଣ୍ଟ କରାଇଥାନ୍ତି। କିନ୍ତୁ ପାର୍ଲରକୁ ନ ଯାଇ ବିଭିନ୍ନ ଘରୋଇ ସାମଗ୍ରୀ ବ୍ୟବହାର କରି ଆପଣ ନିଜର ବିୟୁଟି ଟ୍ରିଟମେଣ୍ଟ କରିପାରିବେ। ଏଥିପାଇଁ କ’ଣ କରିବେ ଜାଣି ରଖନ୍ତୁ…

ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିବାକୁ ଚାହୁଁଥିଲେ ଆଳୁକୁ ବାଟି ତା’ର ରସ ବାହାର କରି ମୁହଁରେ ଲଗାନ୍ତୁ। କିଛି ସମୟ ରହିବା ପରେ ଟିସୁ ପେପରରେ ପୋଛି ତା’ପରେ ଧୋଇ ଦିଅନ୍ତୁ।
ମୁହଁରେ ଯଦି ବ୍ରଣ ସମସ୍ୟା ଥାଏ ଓ ତ୍ୱଚାରେ କୁଞ୍ଚନ ପଡ଼ି ଆସୁଥାଏ ତେବେ ତୁଳସୀ ପତ୍ରକୁ ବାଟି ମୁହଁରେ ଲଗାନ୍ତୁ। ଲଗାତର ଏହାର ବ୍ୟବହାର କରିବା ଫଳରେ ତ୍ୱଚାର ସମସ୍ତ ପ୍ରକାରର ଦାଗ ଦୂର ହେବା ସହ ଅନ୍ୟ ସମସ୍ୟା ବି ଦୂର ହେବ।
ପାଚିଲା ଅମୃତଭଣ୍ଡାକୁ ମୁହଁରେ ଲଗାଇ ଭଲଭାବରେ ଘଷନ୍ତୁ। ଲଗାତର କିଛି ସମୟ ଏପରି କରିବା ଫଳରେ ମୁହଁରେ ଥିବା ସମସ୍ତ ପ୍ରକାରର ମଇଳା ସଫା ହୋଇଥାଏ ଏବଂ ସମସ୍ତ ଦାଗ ମଧ୍ୟ କିଛିଦିନ ପରେ ଚାଲି ଯାଇଥାଏ। ଏପରି କରିବା ଫଳରେ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯାଏ ଓ କୋମଳ ମଧ୍ୟ ହୋଇଥାଏ।
ଚନ୍ଦନ ପାଉଡରକୁ ଗୋଲାପ ଜଳରେ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ।
ତ୍ୱଚାରେ ଯଦି ବୟସର ଛାପ ଦେଖାଗଲାଣି ତେବେ ଆଳୁର ପେଷ୍ଟ କରି ସେଥିରେ ଅଣ୍ଡାର ଧଳା ଅଂଶ ମିଶାଇ ପ୍ୟାକ୍‌ ତିଆରି କରି ମୁହଁ ଏବଂ ବେକରେ ଲଗାନ୍ତୁ।
ଆଳୁକୁ ବାଟି ସେଥିରେ ହଳଦୀ ମିଶାଇ ଲଗାଇଲେ ତ୍ୱଚାର ଉଜ୍ଜ୍ୱଳତା ବଢିବ।
ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ ଆଳୁକୁ ବାଟି ସେଥିରେ ଅଳ୍ପ ମୁଲତାନୀ ମାଟି ଏବଂ ଗୋଲାପ ଜଳ ମିଶାଇ ଫେସ୍‌ ପ୍ୟାକ୍‌ କରି ଲଗାନ୍ତୁ।