ପାକିସ୍ତାନ ଗସ୍ତ ବିଷୟରେ ନିଷ୍ପତ୍ତି ନେବ ଗୃହ ମନ୍ତ୍ରଣାଳୟ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୦।୧୦: ଆସନ୍ତା ବର୍ଷ ପାକିସ୍ତାନ ଯିବାକୁ ଥିବା ଭାରତୀୟ ଦଳ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ କହିଛନ୍ତି, ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ।
ଆସନ୍ତା ବର୍ଷ ପାକିସ୍ତାନରେ ଏସିଆ କପ ଆୟୋଜିତ ହେବାକୁ ଯାଉଛି, କିନ୍ତୁ ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ଜୟ ଶାହା କହିଛନ୍ତି ଯେ, ଟିମ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ। ଏହି ଟୁର୍ନାମେଣ୍ଟ ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ। ଏହା ପରେ ବିବାଦ ଆରମ୍ଭ ହୋଇଥିଲା। ଜୟ ଶାହାଙ୍କ ବିବୃତିରେ ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହି ପ୍ରସଙ୍ଗରେ ଏସିଆନ କ୍ରିକେଟ ପରିଷଦର ଜରୁରୀ ବୈଠକ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଦାବି କରିଛି। ପିସିବି ଏସିସିରେ ଆବେଦନ କରି ଏସିଆନ କ୍ରିକେଟ ପରିଷଦକୁ ଜରୁରିକାଳୀନ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ କହିଥିଲା ଯେ, ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ ଯଦି ଭାରତ ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରେ, ତେବେ ପିସିବି ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ ମଧ୍ୟ ନିରପେକ୍ଷ ସ୍ଥାନରେ ଆୟୋଜନ କରିବାକୁ ଦାବି କରିବ।

 

Share