Categories: ଜାତୀୟ

ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସାସାରାମ କାର୍ଯ୍ୟକ୍ରମ ବାତିଲ

ପାଟନା,୧।୪: ବିହାରର ସାସାରାମ ଏବଂ ନାଳନ୍ଦାରେ ଶୁକ୍ରବାର ଅପରାହ୍ନରେ ରାମ ନବମୀ ଶୋଭାଯାତ୍ରର ସମୟରେ ସଂଘର୍ଷ ଘଟିଥିଲା। ଫଳରେ ସ୍ଥାନୀୟ ଦୁର୍ଘଟଣା ଯୋଗୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଧାରା ୧୧ ଲାଗୁ କରାଯାଇଛି। ଯେଉଁଥିପାଇଁ ସ୍ଥାନୀୟ ପ୍ରଶାସନ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତକୁ ଅନୁମୋଦନ ଦେଇନାହିଁ। ବର୍ତ୍ତମାନ ଅମିତ ଶାହା କେବଳ ନୱାଡା କାର୍ଯ୍ୟକ୍ରମରେ ହିଁ ଯୋଗଦେବେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ସମ୍ରାଟ ଅଶୋକଙ୍କ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ରୋହତାସ ସ୍ଥିତ ସାସରାମ ଯିବାକୁ ଥିଲା। ଅନ୍ୟପଟେ ରବିବାର ଅପରାହ୍ନ ୨ଟାରେ ସେ ନୱାଡାର ହିସୁଆଠାରେ ଏକ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତଦ୍‌ ବ୍ୟତୀତ ତାଙ୍କୁ ପାଟନାର ଦିଗାଠାରେ ଏସ୍‌ଏସ୍‌ବିର ବିଭିନ୍ନ ଉଦ୍‌ଘାଟନ ତଥା ଶିଳାନ୍ୟାସ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିବେ। ଅନ୍ୟପଟେ ନାଳନ୍ଦାର ବିହାରଶରିଫ ଏବଂ ରୋହତସର ସାସରାମରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ଏବଂ ନିୟନ୍ତ୍ରଣରେ ରହିଛି ବୋଲି ବିହାର ପୋଲିସ ସୂଚନା ଦେଇଛି।

Share