ଛତ୍ରପୁର,୧୫।୫(ଦିଲ୍ଲୀପ ସାମଲ):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କେ. ଏନ. ପୁର ଗ୍ରାମର ୨୦୧୩ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାରରେ ଅଭିଯୁକ୍ତ ଶିବ ନାୟକଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ମାମଲାର ବିଚାରଣରୁ ପ୍ରକାଶ ଯେ, ୨୦୧୩ ମସିହା ଅଗଷ୍ଟ ୧୪ ତାରିଖ ରାତ୍ର ୧୦ଟାରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ. ଏନ.ପୁର ଗ୍ରାମର କାଳୁ ବେହେରା ତାଙ୍କ ନିଜ ଘରଠାରୁ ୪ଟା ଘର ଛାଡି ଶାଶୁ ଘରେ ଶୋଇଥିବାବେଳେ ସେହି ଗ୍ରାମର ନରସିଂହ ପ୍ରଧାନ, ଏନ. ଦେବରାଜ ପ୍ରଧାନ, ଶିବ ନାୟକ ଓ ଶମ୍ଭୁନାଥ ନାୟକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଳୁକୁ ଆକ୍ରମଣ କରିଥିଲେ l କାଳୁ ସେଠାରୁ ପୁଣି ତାଙ୍କ ଘରକୁ ଦୌଡି ପଳାଇ ଆସିଥିବାବେଳେ ଅଭିଯୁକ୍ତମାନେ ପୁଣି ସେ ଘରେ ପଶି କାଳୁକୁ ମାରଣାତ୍ମକ ଆକ୍ରମଣ କରି ଜୀବନରେ ମାରିଦେଇଥିଲେ। ମୃତ କାଳୁଙ୍କ ପତ୍ନୀ କୁମାରୀ ବେହେରାଙ୍କ ଅଭିଯୋଗ କ୍ରମେ ପୁରୁଷୋତ୍ତମପୁର ଥାନା ପକ୍ଷରୁ ୧୩୮/୧୩ ଏକ ମାମଲା ରୁଜୁ ତତ୍କାଳୀନ ତଦନ୍ତ ଅଧିକାରୀ ଅଲେଖ ପହି ରୁଜୁ କରିଥିଲେ । ଏହାପରେ ୧୮୯/୧୪ ମାମଲା କୋର୍ଟରେ ବିଚାରଧୀନ ଥିଲା।