‘ଘରେ ଘରେ ମାସ୍କ’ କାର୍ଯ୍ୟକ୍ରମ

ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୩।୬(ବ୍ୟୁରୋ/ (ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର କମ୍ୟୁନିଟି ସେଣ୍ଟରରେ ଘରେ ଘରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କରାଯାଉଛି। ଏକାମ୍ର ନିର୍ବାଚନମଣ୍ଡଳୀର ତେଜସ୍ବିନୀ ମିଶନ ଶକ୍ତି ମହାସଂଘ ସହଯୋଗରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ା ମାସ୍କ ପ୍ରତ୍ୟେକ ଘରେ ନିଃଶୁଳ୍କ ବଣ୍ଟନ କରାଯିବ। ଏହା ଦ୍ୱାରା ମହିଳାମାନେ ମାସ୍କ ତିଆରି କରି ଆର୍ଥିକ ସ୍ବାବଲମ୍ବୀ ହେବେ। ଏଥିସହିତ ମନ୍ତ୍ରୀ ପଣ୍ଡା ପ୍ରତ୍ୟେକ ୱାର୍ଡର କୋଭିଡ୍‌ ଯୋଦ୍ଧାମାନଙ୍କୁ ପିପିଇ କିଟ୍‌ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ତେଜସ୍ବିନୀ ସଭାପତି ମହାମାୟା ସ୍ବାଇଁ, ସମ୍ପାଦିକା ସଂଯୁକ୍ତା ଭୂତିଆ, ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀ, ବିଏମ୍‌ସି ଜେଡିସି ଅଂଶୁମାନ ରଥ, ରବିନାରାୟଣ ଜେଠି, ସିଡିପିଓ ସାରାଣୀ ଦେବୀ, ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା, ସୁଜି ସ୍ବାଇଁ, ରୁନୁ ଜେନା, ତେଜସ୍ବିନୀର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।