ଘର ବିକ୍ରି ଆଳରେ ୭୫ ଲକ୍ଷ ଠକେଇ ଓଲିଉଡ୍‌ ପ୍ରଯୋଜକ ଗିରଫ

ଭୁବନେଶ୍ୱର,୨୭।୩(ବ୍ୟୁରୋ) – ଘର ବିକ୍ରି କରିବା ଆଳରେ ଜଣେ ଆସୋସିଏଟ୍‌ ପ୍ରଫେସରଙ୍କଠାରୁ ୭୫ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଜଣେ ଓଲିଉଡ୍‌ ପ୍ରଯୋଜକଙ୍କୁ ଖଣ୍ଡଗିରି ଥାନା ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା କୋଳଥିଆ ହାଉସିଂବୋର୍ଡ କଲୋନିରେ ରହୁଥିବା ଅଜିତାଭ୍‌ ମଲ୍ଲିକ। ତେବେ ସେ ନିଜେ ସହପ୍ରଯୋଜକ ଥିବା ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ସହ କଳାକାର ଭାବେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ରସୁଲଗଡ଼ରେ ରହୁଥିବା ଅଭିଯୋଗକାରିଣୀ ନିର୍ଲିପ୍ତା ସ୍ବାଇଁ ରେଭେନ୍‌ଶା ବିଶ୍ୱ ବିଦ୍ୟାଳୟରେ ଆସୋସିଏଟ୍‌ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଘର କିଣିବାକୁ ଯୋଜନା କରୁଥିବା ନିର୍ଲିପ୍ତା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପଢ଼ୁଥିବା ଅଜିତାଭଙ୍କ ଭଉଣୀଙ୍କ ମାଧ୍ୟମରେ ସମ୍ପର୍କ ହୋଇଥିଲା। କୋଳଥିଆସ୍ଥିତ ରହୁଥିବା ଡୁପ୍ଲେକ୍ସ ଘର(ଏମ୍‌ଆଇଜି-୪୬)କୁ ବିକ୍ରି କରିବା ପାଇଁ ଅଜିତାଭ କହିଥିଲେ। ଏଥିପାଇଁ ନିର୍ଲିପ୍ତାଙ୍କ ସହ ୧ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଘର ପାଇଁ ନିର୍ଲିପ୍ତା ପ୍ରଥମେ ୨୫ ଲକ୍ଷ ଟଙ୍କା ନଗଦ ଦେଇଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ୭୫ ଲକ୍ଷ ଟଙ୍କା ଦେଇଥିଲେ, ଯେଉଁଥିରେ ୩୦୦ ଗ୍ରାମର ସୁନା ମଧ୍ୟ ରହିଛି। ତେବେ ଟଙ୍କା ନେବାର ଦୀର୍ଘଦିନ ପର୍ଯ୍ୟନ୍ତ ନିର୍ଲିପ୍ତାଙ୍କୁ ଅମିତାଭ ଘର ଦେଇ ନ ଥିଲେ। ବହୁଥର ବାଧ୍ୟ କରିବା ପରେ ଅଜିତାଭ ୭ଟି ଚେକ୍‌ ଦେଇଥିଲେ। ହେଲେ ବ୍ୟାଙ୍କରେ ଟଙ୍କା ନ ଥିବାରୁ ଚେକ୍‌ଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ଏପରିକି କୋଳଥିଆସ୍ଥିତ ଘର ପରିବର୍ତ୍ତେ ବ୍ରହ୍ମୁପୁରରେ ଏକ ଘର ଦେବୁ ବୋଲି ମଧ୍ୟ ଅଜିତାଭ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଘର ନ ମିଳିବାରୁ ନିର୍ଲିପ୍ତା ଟଙ୍କା ମାଗିବାରୁ ଅଜିତାଭ ତାଙ୍କୁ ହତ୍ୟା ଧମକ ଦେଇଥିଲେ।, ଅଜିତାଭଙ୍କ ପରିବାର ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ମଧ୍ୟ ନିର୍ଲିପ୍ତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ଗତ ମାର୍ଚ୍ଚ ୨୩ରେ ପୋଲିସ ଏକ ମାମଲା (ନଂ.୧୩୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ଏହି ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲୁରହିଛି। ଠକେଇ ଟଙ୍କା କୁଆଡ଼େ ଯାଇଛି ତାହା ଜାଣିବାକୁ ଅଜିତାଭଙ୍କ ସମସ୍ତ ବ୍ୟାଙ୍କର ଟ୍ରାଞ୍ଜାକ୍ସନ୍‌ ବିବରଣୀ ମଗାଯାଇଛି ବୋଲି ସେ କହିଛନ୍ତି।