Categories: ରାଜ୍ୟ

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ)- ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗ୍ରହଣ ଦିନ ଅର୍ଥାତ୍‌ ନଭେମ୍ବର ୩ ତାରିଖରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ଓ ଶିଳ୍ପାନୁଷ୍ଠାନ ଇତ୍ୟାଦି ବନ୍ଦ ରହିବ। ସମ୍ପୃକ୍ତ ଅନୁଷ୍ଠାନ ଓ କାର୍ଯ୍ୟାଳୟର କର୍ମଚାରୀଙ୍କ ନିମନ୍ତେ ଉକ୍ତ ଦିବସକୁ ଭାରତର ନିର୍ବାଚନ ଆୟୋଗ ସବୈତନିକ ଛୁଟି ଭାବେ ଘୋଷଣା କରିଛନ୍ତି। ଏହାଛଡା ଉଭୟ ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ କାର୍ଯ୍ୟରେ ୩ ଦିନରୁ ଊର୍ଦ୍ଧ୍ୱ ନିୟୋଜିତ କର୍ମଚାରୀମାନଙ୍କୁ ଗୋଟିଏ ଦିନ ସ୍ବତନ୍ତ୍ର ଆକସ୍ମିକ ଛୁଟି ସେହି ବର୍ଷ ନେବାକୁ ଅନୁମତି ଦିଆଯାଇଛି। ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମ୍ପୃକ୍ତ କର୍ମଚାରୀମାନେ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରମାଣପତ୍ର ଦେଖାଇ ଉକ୍ତ ସ୍ବତନ୍ତ୍ର ଛୁଟି ନେଇପାରିବେ। ସେହିପରି ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଯେଉଁ ମତଦାତାମାନେ ବାହାରେ ଚାକିରି କରୁଛନ୍ତି ସେମାନେ ମଧ୍ୟ ଭୋଟ ଦେବା ପାଇଁ ଭୋଟ ଗ୍ରହଣ ଦିନ ଛୁଟି ନେଇପାରିବେ। ଏଥିନିମନ୍ତେ ସମ୍ପୃକ୍ତ କର୍ମଚାରୀମାନେ ନିର୍ବାଚନମଣ୍ଡଳୀର ଭୋଟର ବୋଲି ପ୍ରମାଣପତ୍ର ଦେବା ପରେ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେଇପାରିବେ।