ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ ସମ୍ପର୍କୀୟଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ସେମାନେ ପାଟିତୁଣ୍ଡ କରିଥିଲେ। ରୋଗୀ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଏସ୍‌ସିବିରେ ସରକରାଙ୍କ ପକ୍ଷରୁ କରାଯାଇଥିବା ହେଲ୍ପଡେସ୍କରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ କୌଣସି ସୂଚନା ମିଳି ନ ଥିଲା। ସୋମବାର ହଠାତ ସେମାନଙ୍କୁ ୱାର୍ଡ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ଏପରି କି କୋଭିଡ୍‌ ହସ୍ପିଟାଲ ଭିତରେ ରୋଗୀଙ୍କ ଅବସ୍ଥା କିଭଳି ରହିଛି, ସେ ସମ୍ପର୍କରେ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇନଥିଲା। କରୋନାର ସଂକ୍ରମଣ ଭୟରେ କୋଭିଡ୍‌ ହସ୍ପିଟାଲକୁ କାହାରିକୁ ଛଡାଯାଉନାହିଁ। ବାହାରେ ଥିବା ସମ୍ପର୍କୀୟଙ୍କୁ ସେମାନଙ୍କ ବିଷୟରେ ଏସ୍‌ସିବି ପକ୍ଷରୁ ସୂଚନା ଦିଆଯିବା କଥା। କିନ୍ତୁ ହେଲ୍ପଡେସ୍କରୁ କୌଣସି ସୂଚନା ନ ମିଳିବାରୁ ରୋଗୀ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ରୋଗୀ ସମ୍ପର୍କୀୟଙ୍କୁ ବୁଝାଶୁଝା କରାଯିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ସରକାରଙ୍କ ନିୟମ ଅନୁଯାୟୀ, କୋଭିଡ୍‌ ରୋଗୀଙ୍କ ପାଖକୁ ଯିବାପାଇଁ କାହାରିକୁ ଅନୁମତି ନାହିଁ। କିନ୍ତୁ ଆମେ ଦିବ୍ୟାଙ୍ଗ, ମାନସୀକ ରୋଗୀ କିମ୍ବା ଗୁରୁତର ରୋଗୀଙ୍କ ପାଖରେ ସେମାନଙ୍କ ସମ୍ପର୍କୀୟଙ୍କୁ ରହିବାକୁ ଅନୁମତି ଦେଇଛୁ। ସମ୍ପର୍କୀୟମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଇ ଭିତରକୁ ଛଡାଯିବ ବୋଲି କହିଛନ୍ତି।