ନୂଆ ଟର୍ଫରେ ଖେଳାଯିବ ହକି ବିଶ୍ୱକପ୍‌

ଭୁବନେଶ୍ୱର,୯ା୧୨(ସ୍ପୋଟ୍ସର୍ର୍ ବ୍ୟୁରୋ):ପୁରୁଷ ହକି ବିଶ୍ୱକପର ଆଗା ସଂସ୍କରଣ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଜାନୁୟାରୀ ୧୩ରୁ ୨୯ ଯାଏ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟ ପିଚ୍‌ ଓ ଅଭ୍ୟାସ ପିଚରେ ନୂତନ ଟର୍ଫ ବିଛାଯାଇଥିବା ବେଳେ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନୂତନ ଟର୍ଫ ପ୍ରସ୍ତୁତ କରାଯାଇଛି। ଉଭୟ ଷ୍ଟାଡିୟମର ଟର୍ଫକୁ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଓ ଏହା ବିଶ୍ୱକପ ମୁକାବିଲା ପାଇଁ ପ୍ରସ୍ତୁତ। ଉଭୟ ଷ୍ଟାଡିୟମରେ ବିଶ୍ୱକପର ୧୫ ତମ ସଂସ୍କରଣ ଆୟୋଜିତ ହେବ। କଳିଙ୍ଗ ଷ୍ଟାଡିୟମରେ ହକିର ଏକ ସ୍ବର୍ଣ୍ଣିମ ଇତିହାସ ରହିଥିବା ବେଳେ ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହେବ ଅନ୍ତର୍ଜାତୀୟ ମ୍ୟାଚ୍‌। ଭାରତ ସମେତ ବିଶ୍ୱର ଶ୍ରେଷ୍ଠ ୧୬ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ୧୬ ଟିମକୁ ୪ଟି ପୁଲ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଇଂଲଣ୍ଡ, ସ୍ପେନ୍‌ ଓ ଓ୍ବେଲ୍ସ ସହିତ ଭାରତ ଗ୍ରୁପ୍‌ ଡିରେ ସ୍ଥାନ ପାଇଛି। ପ୍ରଥମ ସ୍ଥାନରେ ରହିଥିବା ୪ ଟିମ୍‌ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବେ ଓ ଅନ୍ୟ ୮ ଦଳ ମଧ୍ୟରୁ କ୍ରସ୍‌ ଓଭର ମ୍ୟାଚ ଜରିଆରେ ୪ ଦଳଯୋଗ୍ୟତା ହାସଲ କରିବେ। ଅନ୍ୟ ପକ୍ଷରେ ପୁଲ ଏରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା, ପୁଲ୍‌ ବିରେ ବେଲଜିୟମ, ଜର୍ମାନୀ, କୋରିଆ ଓ ଜାପାନ ଏବଂ ପୁଲ୍‌ ସିରେ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ସ୍ଥାନ ପାଇଛନ୍ତି। ଭୁବନେଶ୍ୱରରେ ସମସ୍ତ କ୍ରସ୍‌ ଓଭର, କ୍ୱାର୍ଟର, ସେମି ଓ ଫାଇନାଲ ମ୍ୟାଚକୁ ମିଶାଇ ୨୪ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ରାଉରକେଲାରେ ୨୦ ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଏହାର ପ୍ରଥମ ଦୁଇ ଲିଗ୍‌ ମ୍ୟାଚ୍‌ ଜାନୁୟାରୀ ୧୩ ଓ ୧୬ ତାରିଖରେ ଖେଳିବ। ହକି ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ୪ଟି ଯାକ ହକି ଟର୍ଫକୁ ଏଫ୍‌ଆଇଏଚ୍‌ ମଞ୍ଜୁରୀ ମିଳିଛି। ଉଭୟ ଷ୍ଟାଡିୟମ ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ପ୍ରୟାସ କରାଯାଇଥିବା ବେଳେ ଦର୍ଶକ ଓ ଖେଳାଳିଙ୍କୁ ଏହା ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୦ ଓ ୨୦୧୮ରେ ଭାରତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ ଆୟୋଜନ କରିଥିଲା।