Categories: ଖେଳ

ଆଜି ଇଂଲଣ୍ଡ-ଜର୍ମାନୀ, ନେଦରଲାଣ୍ଡ୍ସ-କୋରିଆ

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତୃତୀୟ କ୍ୱାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ। ଚତୁର୍ଥ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା ହେବ।
ଜର୍ମାନୀ ରେକର୍ଡ ଭଲ
ଇଂଲଣ୍ଡ ବିପକ୍ଷରେ ଜର୍ମାନୀର ରେକର୍ଡ ବହୁତ ଭଲ ରହିଛି। ଉଭୟ ଦଳ ମଧ୍ୟରେ ମୋଟ ୨୨ଟି ମ୍ୟାଚ ଖେଳାଯାଇଥିବାବେଳେ ଜର୍ମାନୀ ୧୫ଟି ମ୍ୟାଚ ଜିତି ବହୁତ ଆଗରେ ରହିଛି। ଇଂଲଣ୍ଡ ୬ ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ଶେଷଥର ପାଇଁ ୨୦୨୨ରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଉଭୟ ଦଳ ୨ଟି ମ୍ୟାଚ ଖେଳିଥିଲେ। ଏଥିରୁୁ ଇଂଲଣ୍ଡ ଗୋଟିଏରେ ୧-୦ ଗୋଲରେ ବିଜୟୀ ହୋଇଥିବାବେଳେ ଅନ୍ୟଟିରେ ଜର୍ମାନୀ ୩-୨ ଗୋଲରେ ବିଜୟ ହାସଲ କରିଥିଲା। ତେଣୁୁ ଅତୀତ ରେକର୍ଡ ଯାହା ହେଉନା କାହିଁକି ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ସମ୍ଭାବନା ରହିଛି। ଚଳିତ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଫଳରେ ୪ ଦଳ ବିଶିଷ୍ଟ ପୁଲ୍‌ରେ ଶୀର୍ଷସ୍ଥାନ ଅଧିକାର କରି ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିଲା। ଅନ୍ୟପକ୍ଷରେ ଜର୍ମାନୀ ପୁଲ୍‌ ‘ବି’ରେ ବେଲଜିୟମ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବାରୁ କ୍ରସ୍‌ ଓଭର ଦେଇ କ୍ୱାର୍ଟର ଫାଇନାଲକୁ ଆସିଛି। କ୍ରସ୍‌ ଓଭରରେ ଏହି ଦଳ ଫ୍ରାନ୍ସକୁ ୫-୧ ଗୋଲରେ ପରାସ୍ତ କରିଥିଲା।
ନେଦରଲାଣ୍ଡ୍ସ ଫେଭରାଇଟ
ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲରେ ଏସୀୟ ଦଳ କୋରିଆ ବିପକ୍ଷରେ ଗତଥରର ରନରଅପ୍‌ ନେଦରଲାଣ୍ଡ୍ସ କ୍ଲିୟର ଫେଭରାଇଟ ରହିଛି। କାରଣ ଇତିହାସ ଦେଖିଲେ ଉଭୟ ଦଳ ମଧ୍ୟରେ ୨୨ଟି ମ୍ୟାଚ ହୋଇ ସାରିଥିବାବେଳେ ନେଦରଲାଣ୍ଡ୍ସ ୧୫ଟି ମ୍ୟାଚ ଜିତିଛି। ଅନ୍ୟ ୭ଟି ମ୍ୟାଚରେ କୋରିଆ ବିଜୟୀ ହୋଇଛି। ଶେଷଥର ପାଇଁ ୨୦୧୫ରେ ଉଭୟ ଦଳ ମଧ୍ୟରେ ବୁଏନ୍ସ ଏୟାର୍ସଠାରେ ମୁକାବିଲା ହୋଇଥିଲା। ଏଥିରେ ନେଦରଲାଣ୍ଡ୍ସ ୬-୨ ଗୋଲରେ ବିଜୟୀ ହୋଇଥିଲା। ନେଦରଲାଣ୍ଡ୍ସ ୧୯୭୩, ୧୯୯୦ ଓ ୧୯୯୮ରେ ଚାମ୍ପିୟନ ଏବଂ ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ରନରଅପ୍‌ ହୋଇଥିଲା। ଏହା ବ୍ୟତୀତ ୨୦୦୨ ଓ ୨୦୧୦ରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲା। ଅନ୍ୟପକ୍ଷରେ କୋରିଆ ୨୦୦୨ ଓ ୨୦୦୬ରେ ହାସଲ କରିଥିବା ୪ର୍ଥ ସ୍ଥାନହିଁ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ। ଅନ୍ତର୍ଜାତୀୟ ହକିରେ ଏକ ଶକ୍ତିଶାଳୀ ଦଳ ଭାବେ ବିବେଚିତ ହେଉଥିବା ନେଦରଲାଣ୍ଡ୍ସ କୋରିଆ ତୁଳନାରେ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ବହୁ ଆଗରେ ରହିବ।

Share