Categories: ଗଞ୍ଜାମ

ଦିଗପହଣ୍ଡିରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍‌ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍‌ ହକି କ୍ରମାଗତ ଭାବରେ ଓଡ଼ିଶା ରାଜ୍ୟ ୨ ଥର ଆୟୋଜନ କରିଥିବା ବେଳେ ଏହାକୁ ଲୋକପ୍ରିୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ଦ୍ବାରା ରାଲି ଆୟୋଜନ କରାଯାଇଥିଲା। ଅପରାହ୍ନରେ ଡାକ ବଙ୍ଗଳାଠାରୁ ରାଲି ବାହାରି ଷ୍ଟାଡିୟମରେ ପହଞ୍ଚିଥିଲା। ସେଠାରେ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବର ଲାଇଭ୍‌ କାର୍ଯ୍ୟକ୍ରମକୁ ବଡ଼ ଏଲ୍‌ଇଡି ପରଦାରେ ପ୍ରଦର୍ଶନ କରାଯାଇଥିଲା। ସେଠାରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ବିଶ୍ୱ କପ୍‌ ଲୋଗୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଏବଂ ବିଶ୍ବକପ ଫଟୋ ସହ ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇବା ବ୍ୟବସ୍ଥା କରାଯାଇଥିଲା।
କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ନଗର ସଭାପତି ଭୀମସେନ ବେହେରା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍‌ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଓ୍ବାର୍ଡ ସଭ୍ୟାସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଲାଇଭ୍‌ ଶୋ’ର ମଜା ନେଇଥିଲେ। ପୂର୍ବରୁ ହକି ବିଶ୍ବ କପ୍‌ ପାଇଁ ଏସ୍‌ଏଚ୍‌ଜି ମହିଳା ଗ୍ରୁପ୍‌ଙ୍କ ଧ୍ୟରେ ଝୋଟି ଚିତ୍ର ଓ ଅନ୍ୟାନ୍ୟ ପ୍ରତିଯୋଗିତା ହୋଇଥିଲା। ସେହିପରି ବ୍ଲକର ନନ୍ଦିକଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଡ଼ ପରଦାରେ ବିଶ୍ୱ କପ୍‌ ହକି ଉଦଘାଟନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଯାଇଛି। ସରପଞ୍ଚ କୃଷ୍ଣ ଭୋଳ, ବିଡିଓ ସୁବ୍ରତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବ୍ଲକର ସମସ୍ତ ପଞ୍ଚାୟତରେ ଓ ପୌରାଞ୍ଚଳର ବିଭିନ୍ନ ବସ୍ତି ଅଞ୍ଚଳ ର ହକି ବିଶ୍ବ କପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌ ପ୍ରଦର୍ଶିତ ହୋଇଛି।