ହକି ଟିକେଟ କଳାବଜାର, ଆଉ ୪ ଗିରଫ

ଭୁବନେଶ୍ୱର,୨୪।୧(ବ୍ୟୁରୋ):ହକି ଟିକେଟ କଳାବଜାର କରୁଥିବା ଆଉଏକ ର଼୍ୟାକେଟ ଧରାପଡିଛି। ଗ୍ରାହକ ବେଶରେ ଟିକେଟ କିଣିବାକୁ ଯାଇ ନୟାପଲ୍ଲୀ ଥାନା ପୋଲିସ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଟକର ସୁବାସ ପ୍ରଧାନ, ପଶ୍ଚିମବଙ୍ଗର ପ୍ରସନ୍ନଜିତ ସିତ୍‌, ମଧ୍ୟପ୍ରଦେଶର ଭାନୁ ପ୍ରତାପ ସିଂ ଏବଂ ମଙ୍ଗଳ ସିଂ। ସେମାନଙ୍କଠାରୁ ଇଣ୍ଡିଆ ବନାମ ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ର ୮ ଟିକେଟ, ୧୧ ହଜାର ୪୦୦ ଟଙ୍କା ଓ ୪ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ନୟାପଲ୍ଲୀ ୪ ଓ ଶହୀଦନଗର ଥାନା ପୋଲିସ ୫ଜଣଙ୍କୁ ଗିରଫ କରିଥିଲା। ଏବେ ମୋଟ ଗିରଫ ସଂଖ୍ୟା ୧୩ରେ ପହଞ୍ଚତ୍ଥିବାବେଳେ ସମସ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।
ରବିବାର ସାରେ ସଂପୃକ୍ତ ୪ ଅଭିଯୁକ୍ତ କଳିଙ୍ଗ ଷ୍ଟାଡିୟମର ଗେଟ ନମ୍ବର-୩ ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ହକି ମ୍ୟାଚର ଟିକେଟ ଚଢା ଦାମ୍‌ରେ ବିକ୍ରି କରୁଥିବା ନେଇ ନୟାପଲ୍ଲୀ ଥାନା ପୋଲିସ ଖବର ପାଇଥିଲା। ତେଣୁ ସେମାନଙ୍କୁ ଧରିବା ଲାଗି ଏକ ସ୍ବତନ୍ତ୍ର ଟିମ୍‌ ସେଠାରେ ସାଦା ପୋଷାକରେ ପହଞ୍ଚତ୍ ଘଟଣାର ଅନୁସନ୍ଧାନ କରିଥିଲା। ଟିକେଟ କଳାବଜାର କରୁଥିବା ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ପୋଲିସ ଦର୍ଶକ ସାଜି ଟିକେଟ କିଣିବା ବାହାନା କରି ସେମାନଙ୍କ ପାଖକୁ ଯାଇ ଦାମ୍‌ ପଚାରିଥିଲେ। ଅଭିଯୁକ୍ତମାନେ ୨୦୦ଟଙ୍କିଆ ଟିକେଟକୁ ୧୨୦୦ ଟଙ୍କା ଓ ୪୦୦ ଟଙ୍କିଆ ଟିକେଟକୁ ୨ ହଜାର ଟଙ୍କା ଦାବି କରିଥିଲେ। ୮ଟି ଟିକେଟ ଲାଗି ଅଗ୍ରୀମ ୮ ହଜାର ଦେବା ସହିତ ବାକି ଟଙ୍କା ଟିକେଟ ନେବାବେଳେ ଦେବେ ବୋଲି କହିଥିଲେ। କିଛି ସମୟ ପରେ ଅଭିଯୁକ୍ତମାନେ ଟିକେଟ ହସ୍ତାନ୍ତର ସମୟରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଟିମ୍‌ କାବୁ କରିଥିଲା।