ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ୪୧୨ ମ୍ୟାଚର ରେକର୍ଡ ଭାଙ୍ଗିଛନ୍ତି।
ଦଳରେ ଦୀର୍ଘଦିନ ଧରି ଖେଳିବାକୁ ହେଲେ ଫିଟ୍ନେସ ଆବଶ୍ୟକ। ତାଙ୍କର ଫିଟ୍ନେସ ପାଇଁ ଚର୍ଚ୍ଚିତ କ୍ରିକେଟର ବିରାଟ କୋହଲିଙ୍କୁ ଶ୍ରେୟ ଦେଇଛନ୍ତି। ମନପ୍ରୀତ କହିଛନ୍ତି, ବିରାଟ କୋହଲିଙ୍କ ଫିଟ୍ନେସ ସମସ୍ତଙ୍କୁ ଜଣା। ସେ କେବଳ ମନପ୍ରୀତଙ୍କ ପାଇଁ ନୁହନ୍ତି ପ୍ରତି ଆଥଲେଟ୍ଙ୍କ ଆଦର୍ଶ। କିପରି ଦୀର୍ଘଦିନ ଫିଟ୍ ରହିବାକୁ ହୁଏ ସମସ୍ତେ ତାଙ୍କଠାରୁ ଜାଣିବାକୁ ଆଗ୍ରହ ରଖିଥାନ୍ତି। ବିରାଟ ୩୬ ବର୍ଷରେ ପହଞ୍ଚତ୍ ଥିଲେ ହେଁ ନିଜ ଫିଟ୍ନେସ ବଜାୟ ରଖିଛନ୍ତି ବୋଲି ଏଫ୍ଆଇଏଚ୍ ପ୍ରୋ ଲିଗ୍ର ୟୁରୋପିଆନ ଲେଗ୍ ଅବସରରେ ପ୍ରକାଶ କରିଛନ୍ତି।
କୋହଲିଙ୍କଠାରୁ ମୁଁ ଅନେକ କିଛି ଶିଖିଛି। ସେ ପଡ଼ିଆରେ ସବୁବେଳେ ଆକ୍ରମଣାତ୍ମକ ଅଭିମୁଖ୍ୟରେ ରହିଥାନ୍ତି। ଖେଳ ଉପରେ ଫୋକସ ରଖିବା ସହ ସବୁବେଳେ ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିଥାନ୍ତି। କୋହଲି ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପ୍ରଶଂସକ। ମୁଁ ମଧ୍ୟ ରୋନାଲ୍ଡୋଙ୍କ ଫ୍ୟାନ। ଫିଟ୍ନେସ ବଜାୟ ରଖି ଦେଶ ପକ୍ଷରୁ ଯଥା ସମ୍ଭବ ଖେଳିବା ତାଙ୍କ ଲକ୍ଷ୍ୟ ବୋଲି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ମନପ୍ରୀତ ପ୍ରକାଶ କରିଛନ୍ତି।