Categories: ଖେଳ

ହକି ଇଣ୍ଡିଆ ହାଇ ପରଫର୍ମାନ୍ସ ଡାଇରେକ୍ଟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୧।୮(ପି.ଟି.): ହକି ଇଣ୍ଡିଆ (ଏଚ୍‌ଆଇ) ହାଇ ପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଓ ସ୍ବାସ୍ଥ୍ୟଗତ କାରଣରୁ ସେ ପଦ ଛାଡିଛନ୍ତି ଓ ସେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ମନସ୍ଥ କରିଛନ୍ତି ବୋଲି କୁହାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତାଙ୍କ ଚୁକ୍ତିର ନବିକରଣ କରିଥିଲା। ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ତାଙ୍କ ଚୁକ୍ତି ବଳବତ୍ତର ରହିଥାନ୍ତା। ତେବେ ଏହା ସତ୍ତ୍ୱେ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆ ଓ ସାଇକୁ ପଠାଇ ଦେଇଛନ୍ତି। ଅବଶ୍ୟ ହକି ଇଣ୍ଡିଆ ମିଡିଆ ବିଭାଗ ଏ ନେଇ କିଛି କହିବାକୁ ମନା କରିଦେଇଛି। ତେବେ ଫେଡେରେଶନ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛି ବୋଲି କୁହାଯାଇଛି।
ଫେଡେରେଶନ ମଧ୍ୟରେ ଜନ୍‌ ନିଜକୁ ଏକୁଟିଆ ତଥା ଅବହେଳିତ ମନେ କରୁଥିଲେ। ପତ୍ୟେକ ଟୁର୍ନାମେଣ୍ଟ ପୂର୍ବରୁ ନଷ୍ପତ୍ତି ନେବା ପ୍ରକ୍ରିୟାରେ ଗଠନ କରଯାଉଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ତାଙ୍କୁ ସାମିଲ କରାଯାଉ ନ ଥିଲା ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି। ଜନ୍‌ଙ୍କୁ ବାଦ୍‌ ଦେଲେ ସମସ୍ତେ ଏହି ଗ୍ରୁପ୍‌ରେ ସାମିଲ ହେଉଥିଲେ। ତେବେ ସେ ହାଇ ପରଫର୍ମାନ୍ସ ଡାଇରେକ୍ଟର ହିସାବରେ ସାଇ କାର୍ଯ୍ୟାଳୟରେ ଆୟୋଜିତ ହେଉଥିବା ବୈଠକରେ ଉପସ୍ଥିତ ରହୁଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ ହକି ଖେଳିଯିବା ବନ୍ଦ ହୋଇଯିବା କାରଣରୁ ବୋଧ ହୁଏ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଦଳ କୌଣସି ହକି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ନାହିଁ। ଏହି ସମୟରେ ଏସିଆନ ଚାମ୍ପିୟନ୍ସ ଟ୍ରଫିର କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ କରାଯିବ। ୨୦୧୬ ଅନ୍ତିମ ଭାବେ ଜନ୍‌ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଥିଲେ। ତେବେ ଏହା ପୂର୍ବରୁ ସେ ଭାରତୀୟ ପୁରୁଷ ଦଳର ଫିଜିଓ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଏହି ସମୟରେ ମାଇକେଲ ନୋବ୍ସ ୨୦୧୧ରେ ପୁରୁଷ ଦଳର ମୁଖ୍ୟ କୋଚ୍‌ ମଧ୍ୟ ନିଯୁକ୍ତ ହୋଇଥିଲେ। ତେବେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପରେ ଜନ୍‌ ଇସ୍ତଫା ଦେଇଥିଲେ। ଏହାପରେ ସେ ପୁଣି ୨୦୧୬ରେ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଥିଲେ। ୧୨ ହଜାର ଆମେରିକୀୟ ଡଲାର ପାଉଣାରେ ନିଯୁକ୍ତି ପାଇଥିବା ଜନ୍‌ ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂଙ୍କୁ ସ୍ଲୋ ବା ମନ୍ଥର କହି ଚର୍ଚ୍ଚା ସୃଷ୍ଟି କରିଥିଲେ।

Share