ବାଉଁଶ ଲାଠି, ଛିଣ୍ଡା ଚପଲରେ ହକି ଖେଳ

ମହାକାଳପଡ଼ା,୧୩ା୧୨(ଡି.ଏନ.ଏ.): ହକି ଖେଳ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ହକିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌ ହକି ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ ଚାଲିଛି। ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ଏହି ଖେଳ ପ୍ରତି ଆଗ୍ରହ ବଢ଼ୁଛି। ବିଶେଷ କରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପକୂଳ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଆଦିବାସୀପଡ଼ାର ଯୁବକମାନେ ଏହି ଖେଳରେ ବହୁମାତ୍ରାରେ ସାମିଲ ହୋଇଛନ୍ତି। ହେଲେ ସେମାନଙ୍କ ପାଖରେ ହକି ଷ୍ଟିକ୍‌ ନାହିଁ କି ବଲ୍‌। ସେମାନଙ୍କୁ ଉପଯୁକ୍ତ ତାଲିମ୍‌ ଦେବାକୁ କେହି ନ ଥିବା ବେଳେ ଖେଳ ପଡ଼ିଆର ବି ଅଭାବ ରହିଛି। ତଥାପି ସେମାନେ ପଛଘୁଞ୍ଚା ଦେଇ ନାହାନ୍ତି। ବାଉଁଶ ଲାଠି ତାଙ୍କ ପାଇଁ ହକି ଷ୍ଟିକ୍‌ ସାଜିଛି। ପୁରୁଣା ରବର ଚପଲକୁ କାଟି ବଲ ଭାବେ ବ୍ୟବହାର କରୁଛନ୍ତି। ନିଜ ଗାଁ ଆଦିବାସୀ ପଡ଼ିଆରେ ପ୍ରତିଦିନ ଚାଲିଛି ହକି ଖେଳ। ଆନନ୍ଦ ମାଝି, ବିଶାଳ ମାଝି, ମହେଶ ହଁାସଦା, ରାଜୁ ମାଝି, ଶିବ ମାଝି, ଅନିଲ ମାଝି, ଅନିଲ ବାସ୍କେ, ସୌମେନ୍ଦ୍ର ସୋରେନ ପ୍ରମୁଖ ଖେଳାଳୀ କହିଛନ୍ତି, ହକି ଖେଳ ପ୍ରତି ଆମର ଆଗ୍ରହ ଅଛି। କିନ୍ତୁ ଉପଯୁକ୍ତ ତାଲିମ ମିଳୁନି, ଖେଳ ସାମଗ୍ରୀ, ପୋଷାକ ଓ ପ୍ରୋତ୍ସାହନ ଅଭାବ ଯୋଗୁ ଆମେ ପଛରେ ରହିଯାଇଛୁ। ଯଦି ରାଜ୍ୟ ସରକାର ଲୁଣିମାଠିଆ ଆଦିବାସୀପଡ଼ାର ହକି ଖେଳାଳିଙ୍କୁ ଉପଯୁକ୍ତ ପ୍ରତ୍ସୋହନ ଯୋଗାଇ ଦେବେ ସେମାନେ ଆଉ କିଛି ବର୍ଷ ପରେ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଇବେ ନାହିଁ। ଗାଁର କେତେଜଣ ଅନୁସୂଚିତ ଜନଜାତି ଯୁବକ ଆର୍ଥିକ ଅନଟନ ଯୋଗୁ ଏହି ଖେଳଠାରୁ ଦୂରେର ରହିଛନ୍ତି। ହକି ପ୍ରତି ସେମାନଙ୍କ ଆଗ୍ରହ ଥିଲେ ମଧ୍ୟ ଘରର ଆର୍ଥିକ ସ୍ଥିତି ସେମାନଙ୍କୁ ଅନ୍ୟତ୍ର ଯାଇ କାମ କରିବାକୁ ବାଧ୍ୟ କରିଛି। ସେହି ପ୍ରତିଭାବାନ ହକି ଖେଳାଳୀଙ୍କୁ ସରକାରୀ ଓ ବେସରକାରୀସ୍ତରରେ ସହାୟତା ମିଳିଲେ ସେମାନେ ଓଡ଼ିଶାର ସୁନାମ ଆଣି ପାରିବେ ବୋଲି ସାମାଜିକ କର୍ମୀ ସୁବାସ ସ୍ବାଇଁ, ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ କହିଛନ୍ତି।