Categories: ଜାତୀୟ

ଗରିବଙ୍କ ଭାତହାଣ୍ଡିକୁ ମାଡ, ଆଜାଦପୁର ମଣ୍ଡିରେ ଚାଷୀଙ୍କୁ ଭେଟି କଥାହେଲେ ରାହୁଲ

ନୂଆଦିଲ୍ଲୀ,୮।୮: ମହଙ୍ଗା ମାଡରେ ହନ୍ତସନ୍ତ ହେଉଛନ୍ତି ଲୋକ। କେତେବେଳେ ଟମାଟୋ ମହଙ୍ଗା ହେଉଛି ତ କେତେବେଳେ ଲେମ୍ବୁ। ମଝିରେ ମଝିରେ ପିଆଜ ମଧ୍ୟ ଗରିବର ଭାତଥାଳିକୁ ମାଡ ମାରୁଛି। ବିନା ପରିବାରେ ଭାତକୁ ଲୁଣ ଲଗେଇ ଖାଉଛନ୍ତି। ଏପଟେ ସିଲିଣ୍ଡର ଦାମ୍‌ ମଧ୍ୟ ହୁ ହୁ ହୋଇ ବଢୁଛି। ଟମାଟୋ ଦାମ୍‌ ଏବେ ପେଟ୍ରୋଲ ଡିଜେଲ ଠୁ ମହଙ୍ଗା। ଅନ୍ୟ ପରିବା କଥା ନ କହିଲେ ଭଲ। ଟମାଟୋ ଏତେ ମହଙ୍ଗା ଯେ, ଗରିବ ଲୋକ ଟମାଟୋ ନ କିଣିପାରି କଞ୍ଚା ଆମ୍ବକୁ ଛେଚି ସ୍ବାଦ ପାଇ ପନିପରିବାରେ ରାନ୍ଧୁଛନ୍ତି। ସେଥିରେ ଦୁଇମୁଠା ଭାତ ଖାଇ ହେଉଛି। ସବୁ ଅତ୍ୟାବଶକୀୟ ଦାମ୍‌ ଏପରି ବଢୁଛି ଯେ ପିଲାଙ୍କୁ ଘରୋଇ ବିଦ୍ୟାଳୟକୁ ପଠାଇବା କାଠିକର ପାଠ ହୋଇପଡୁଛି। ତେବେ ଏହିପରି ଦୁଃଖ ବଖାଣିଛନ୍ତି ଆଜାଦପୁର ମଣ୍ଡିକୁ ଆସୁଥିବା ଚାଷୀମାନେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଆଜାଦପୁର ମଣ୍ଡିକୁ ଆସୁଥିବା ଗରିବ ଚାଷୀ ଏବଂ ବ୍ୟବସାୟୀମାନଙ୍କୁ ଭେଟିଛନ୍ତି। ସେମାନଙ୍କୁ ଭେଟି ତାଙ୍କ ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି।

Share