ସ୍କୁଟିକୁ ଧକ୍କା ଦେଇ ମହିଳାଙ୍କଠାରୁ ଝାମ୍ପିନେଲେ ୧ ଲକ୍ଷ ୪୧ ହଜାର ଟଙ୍କା

ଦିଗପହଣ୍ଡି,୨୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସୋମବାର ଜଣେ ମହିଳା ଟଙ୍କା ଧରି ସ୍କୁଟିରେ ଯାଉଥିବା ବେଳେ କେତେଜଣ ଦୁର୍ବର୍ତ୍ତ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଟଙ୍କା ଲୁଟି ନେଇଛନ୍ତି। ତାଙ୍କଠାରୁ ୧ ଲକ୍ଷ ୪୧,୭୦୦ ଟଙ୍କା ଲୁଟ୍‌ ହୋଇଛି।

ମିଳିଥିବା ସୂଚନା ମୁତାବକ, ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଭୁଡୁକି ଗ୍ରାମର କେ. ଭୀମା ଦୋରା ଏବଂ ତାଙ୍କ ସ୍ତ୍ରୀ କେ.ଇନ୍ଦିରା ଦୋରା ଦିଗପହଣ୍ଡି ସ୍ଥିତ ଏକ ବ୍ୟାଙ୍କରୁ ଶୁକ୍ରବାର ଅପରାହ୍ନରେ ୧ଲକ୍ଷ ୪୦ ହଜାର ଟଙ୍କା ଉଠାଇଥିଲେ। ଇନ୍ଦିରା ଉଠାଇଥିବା ଟଙ୍କା ଓ ଘରୁ ଆଣିଥିବା ୧୭୦୦ ଟଙ୍କା ୨ଟି ବ୍ୟାଙ୍କ ଜମାଖାତା, ଆଧାରକାର୍ଡ, ସ୍ବାମୀଙ୍କ ଚଷମା ଓ ମୋବାଇଲ ଫୋନକୁ ତାଙ୍କ ଭ୍ୟାନିଟିରେ ରଖି ସ୍ବାମୀଙ୍କ ସହ ସ୍କୁଟିରେ ଘରକୁ ଫେରୁଥିଲେ।

ଦିଗପହଣ୍ଡି-ଅନଙ୍ଗପୁର ରାସ୍ତାରେ ଅନ୍ୟ ଏକ ବାଇକ୍‌ରେ ତାଙ୍କୁ ପିଛା କରୁଥିବା ୨ଜଣ ଦୁର୍ବୃତ୍ତ ଭ୍ୟାନିଟିକୁ ଜାବୁଡି ଧରିଥିବା ଇନ୍ଦିରାଙ୍କୁ ମୁହଁକୁ ମୁଥ ମାରି ସ୍କୁଟିରୁ ଟାଣି ନେଇଥିଲେ। ଫଳରେ ସେ ସ୍ବାମୀଙ୍କ ସହ ସ୍କୁଟିରୁ ତଳେ ପଡି ଯାଇଥିଲେ। ଏହି ସମୟରେ ଦୁର୍ବତ୍ତମାନେ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇ ଦୃତଗତିରେ ବ୍ରହ୍ମପୁର ରାସ୍ତାରେ ଫେରାର ହୋଇଯାଇଥିଲେ। ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବା ପରେ ଆଇଆଇସି କିଶୋର ସାମଲ ଏକ ମାମଲା(ନଂ.୪୮୨/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Share