ମଣିଷଙ୍କଠାରୁ ମିଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି କରୋନା ଭାଇରସ

ଉଟାହ,୧୦ ।୧୦: କରୋନା ଭାଇରସ ଏବେ ଆମେରିକାରେ ତା’ର କାୟା ବିସ୍ତାର କରିଥିବା ବେଳେ ଏହା ମଣିଷଠାରୁ ପଶୁଙ୍କୁ ବ୍ୟାପିବା ଚିନ୍ତାର କାରଣ ପାଲଟି ଯାଇଛି । ଆମେରିକାର ଉଟାହ ଓ ୱିସକନସିନରେ ପାଖାପାଖି ୧୦ ହଜାର ମିଙ୍କ(ନେଉଳ ପ୍ରଜାତିର ପ୍ରାଣୀ)ଙ୍କ ମୃତ୍ୟୁ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ଏହି ପ୍ରାଣୀଟି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ମରି ଯାଉଥିବା କୁହାଯାଇଛି । କେବଳ ୮ ହଜାର ମିଙ୍କ କରୋନାରେ ସଂକ୍ରମିତ ହୋଇ ମରିଥିବା ବେଳେ ବାକି ୨ ହଜାର ଭ୍ୟାକ୍ସିନ ପାଇଁ ମରିଛନ୍ତି ବୋଲି କୁହାଯାଇଛି । ଏମାନେ ଆକାରରେ ଦେଖିବାକୁ ଖୁବ୍ ଛୋଟ, ହେଲେ ଏମାନଙ୍କ ଶରୀରରେ ରେଶମ ଭଳି ଲୋମ ରହିଛି । ଉଟାହର ଜଣେ ପଶୁ ଡାକ୍ତର ଡିନ ଟେଲର କହିଛନ୍ତି ଗତ ଅଗଷ୍ଟରେ ଆମେରିକା ଲୋକଙ୍କ ନିକଟରେ କରୋନା ଭାଇରସ ଦେଖାଦେଇଥିଲା । ଏହି ସମୟରେ ଫାର୍ମରେ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ହେବା ଫଳରେ ଏହା ପରେ ମିଙ୍କଙ୍କୁ ସଂକ୍ରମିତ କରିଥିଲା ବୋଲି ଅନୁମାନ କରାଯାଏ । ଡା. ଡିନ କହିଛନ୍ତି ପ୍ରାଥମିକ ଗବେଷଣାରୁ ଜଣାପଡିଛି କରୋନା ଭାଇରସ ଏବେ ମଣିଷଠାରୁ ମିଙ୍କଙ୍କ ନିକଟକୁ ଯାଇଛି । ହେଲେ ଏହା ପଶୁଙ୍କଠାରୁ ମଣିଷକୁ ଯାଇ ନ ଥିବା ସେ କହିଛନ୍ତି ।

Share