ମୋହନା, ଗଜପତି ୫।୧( ମନ୍ମଥ ମିଶ୍ର/ଗିରିଧାରୀ ପରିଛା ): କନ୍ୟାକୁମାରୀରେ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଧକ୍କା ଦେଲା କାର୍। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ଗଜପତି ଜିଲା ମୋହନା ଥାନା ଗୋବିନ୍ଦପୁର ଗାଁର ନୀଳାଞ୍ଚଳ ନାୟକ। ଗତ ୨୬ ତାରିଖ ଦିନ ଗାଁର ୪ ଜଣ ଯୁବକ ଦକ୍ଷିଣ ଭାରତ ବୁଲିବାକୁ ବାହାରିଥିଲେ। ୩୧ ତାରିଖ ରାତିରେ କନ୍ୟାକୁମାରୀରେ ପହଞ୍ଚିଥିଲେ। ରାତି ପ୍ରାୟ ୯ଟାରେ କନ୍ୟାକୁମାରୀରେ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ନୀଳାଞ୍ଚଳ ଗୁରୁତର ଆହତ ହୋଇଥିବାବେଳେ ତାଙ୍କ ଭାଇ ସନ୍ତୋଷ ନାୟକ ସାମାନ୍ୟ ଆହତ ହୋଇଥିଲେ। ସେଠାକାର ଡାକ୍ତରଖାନାରେ ଗତ ୨/୧/୨୬ ତାରିଖ ଦିନ ନୀଳାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା କାର୍ ଜବତ କରି ତଦନ୍ତ କରୁଛି । ଅନ୍ୟପକ୍ଷରେ ଆଜି ନୀଳାଞ୍ଚଳଙ୍କ ମୃତଦେହ ଗୋବିନ୍ଦପୁର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ନୀଳାଞ୍ଚଳ ଗାଁର ଜଣେ ଦାୟିତ୍ୱବାନ ଯୁବକ ଥିବାବେଳେ ପରିବାରର ରୋଜଗାରିଆ ପୁଅ ଥିଲେ । ତେଣୁ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ । ତାଙ୍କ ପରିବାରକୁ ରେଡ୍ କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ତହସିଲଦାର ଚକ୍ରଧର ପାଢ଼ୀ କହିଛନ୍ତି ।


