Categories: ଜାତୀୟ

ପୁଣି ଚାଷୀଙ୍କୁ ଧକ୍କା ଦେଲା ଭାଜପା ନେତାଙ୍କ କାର୍‌

ଚଣ୍ଡଗିଡ଼,୭।୧୦: ହରିୟାଣାରେ ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭାଜପା ଏମ୍‌ପି ନୟାବ ସାଇନିଙ୍କ ଗାଡ଼ି ଧକ୍କା ଦେଇଛି। ଫଳରେ ଜଣେ ଚାଷୀ ଆହତ ହୋଇଥିବା ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି। ଆହତ ଚାଷୀଙ୍କୁ ଅମ୍ବାଲା ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରାଯିବା ପରେ ଡିସଚାର୍ଜ ମିଳିଥିବା ଜଣାପଡ଼ିଛି।

ଏମ୍‌ପିଙ୍କ ଡ୍ରାଇଭର ବିରୋଧରେ ଏଫ୍‌ଆଇଆର ରୁଜୁ କରିବା ସହ ୧୦ ତାରିଖ ମଧ୍ୟରେ ଅଭିଯୁକ୍ତ ଡ୍ରାଇଭର ଥାନାରେ ଆତ୍ମସମର୍ପଣ ନ କଲେ ଘେରାଉ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି।

ସାଇନି ସମ୍ପ୍ରଦାୟର କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ଇଭେଣ୍ଟର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ସକାଳ ୧୦ଟାରେ ଆରମ୍ଭ ହେବାର ଥିଲା। କାର୍ଯ୍ୟକ୍ରମରେ ବାଧା ଦେବା ପାଇଁ କିଛି ଚାଷୀ ଏକତ୍ରିତ ହୋଇଥିବା ଆମେ ଖବର ପାଇଥିଲୁ। ଭେନ୍ୟୁରେ ପ୍ରବେଶ କରିବା ପାଇଁ ସେମାନେ ବାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରୁଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ମନ୍ତ୍ରୀ ପରବର୍ତ୍ତୀ ଇଭେଣ୍ଟ ଅଭିମୁଖେ ବାହାରି ଥିଲେ। ଏହି ସମୟରେ ବାହାରେ ଛିଡ଼ା ହୋଇଥିବା ଚାଷୀଙ୍କୁ ଭାଜପା ନେତାଙ୍କ କାର ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଆମେ ଘଟଣାର ତଦନ୍ତ କରିବୁ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସବ ଇନସ୍ପେକ୍ଟର ଡୁମ ସିଂ କହିଛନ୍ତି।

Share