Categories: ଜାତୀୟ

ଭାଜପାକୁ ଶକ୍ତିଶାଳୀ କରିବାରେ ନୀତୀଶଙ୍କ କାର୍ଯ୍ୟକୁ ଇତିହାସ ମନେ ରଖିବ: ଓଓ୍ବାଇସି…

ପାଟନା,୧୯।୩ : ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ରବିବାର ପୁର୍ନିଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।  ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଓୱାଇସି କହିଛନ୍ତି ଯେ ଭାରତରେ ଭାଜପାକୁ ଶକ୍ତିଶାଳୀ କରିବା ପାଇଁ ଇତିହାସ ନୀତୀଶ କୁମାରଙ୍କୁ ସବୁବେଳେ ମନେ ରଖିବ। ଗୁଜରାଟ ଜଳୁଥିବା ବେଳେ ନୀତୀଶ ରେଳ ମନ୍ତ୍ରୀ ଥିଲେ। ଯଦି ସେ ଭାବୁଛନ୍ତି ଯେ ଏଆଇଏମଆଇଏମ ମୁସଲମାନମାନଙ୍କର ଏକ ଦଳ, ତେବେ ସେ ମନେ ରଖିବା ଉଚିତ୍ ଯେ ସେ କୁର୍ମି ଏବଂ କୁଶବାହାଠାରୁ ଆଗକୁ ଯାଇପାରିବେ ନାହିଁ ।

ସୂଚନାଯୋଗ୍ୟ, ଓୱାଇସି ବିହାରରେ ନିଜ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ବିହାରରେ ଅନୁଷ୍ଠିତ ଗତ ବିଧାନସଭା ନିର୍ବାଚନରେ ତାଙ୍କ ଦଳର ୫ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୨୨ ମସିହାରେ, ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ତାଙ୍କର ଚାରିଜଣ ବିଧାୟକଙ୍କୁ ନିଜ ଶିବିରକୁ ନେଇଥିଲେ। କୋଚାଦାମନର ମହମ୍ମଦ ଇଜହର ଆସଫି, ଜୋକିହାଟର ଶାହାନବାଜ ଆଲାମ, ବାଇସିର ରୁକ୍ନୁଦ୍ଦିନ ଅହମ୍ମଦ ଏବଂ ବାହାଦୁରଗଞ୍ଜର ଅଞ୍ଜର ନାଇମି ଆରଜେଡିରେ ଯୋଗ ଦେଇଥିଲେ।

ଏଆଇଏମଆଇଏମର ବିହାର ରାଜ୍ୟ ଅଧ୍ୟକ୍ଷ ଅଖତରୁଲ ଇମାନ ଓୱାଇସିଙ୍କ ପ୍ରତି ଆନୁଗତ୍ୟ ଛାଡି ନାହାଁନ୍ତି। ବର୍ତ୍ତମାନ ସେ ବିହାରରେ ଏଆଇଏମଆଇଏମର ଏକମାତ୍ର ବିଧାୟକ ରହିଛନ୍ତି। କୁହାଯାଉଛି ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟିଛି। ଭାଜପା ଦାବି କରିଛି ଯେ ନୀତୀଶ କୁମାର ଆରଜେଡିକୁ ବିଧାନସଭାରେ ଏକକ ବୃହତ୍ତମ ଦଳ କରିବାକୁ ଚାହୁଁଛନ୍ତି, ତେଣୁ ଭାଜପା ଛାଡିବା ପରେ ସେ ଆରଜେଡି ସହିତ ମିଶି ସରକାର ଗଠନ କରିପାରିବେ।

Share