Categories: ଖେଳ

ଇତିହାସ ରଚିଲେ ରୋହିତ-ଜୟସ୍ବାଲ ଯୋଡ଼ି

ଡୋମିନିକା,୧୪।୭: ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକା ଗ୍ରାଉଣ୍ଡରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଭାରତରୁ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଓପନିଂ ଯୋଡି ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଦିନର ଖେଳରେ ଆୟୋଜକ ୱିଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପରେ ପ୍ରଥମ ଥର ଟେଷ୍ଟ କ୍ରିକେଟରେ ବ୍ୟାଟିଂ କରିବାକୁ ବାହାରିଥିବା ଜୟସ୍ବାଲ ଅଧିନାୟକ ରୋହିତଙ୍କ ସହ ପ୍ରଥମ ଉଇକେଟ ପାଇଁ ୨୨୯ ରନ ବାଣ୍ଟିଥିଲେ।
ଏହା ସହ ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ କୌଣସି ଉଇକେଟ ହରାଇ ପ୍ରଥମ ଇନିଂସ ଆଧାରରେ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲା। ଏଥି ସହିତ ୱେଷ୍ଟଇଣ୍ଡିଜରେ ୨୦୦୬ ବର୍ଷ ପରେ ପ୍ରଥମ ଉଇକେଟ ପାଇଁ ଭାରତରୁ ଏହା ସବୁଠାରୁ ବଡ ଭାଗିଦାରୀ ଅଟେ। ଏହାପୂର୍ବରୁ ୨୦୦୬ରେ ୱାସିମ ଜାଫର୍‌ ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ଯୋଡି ୧୫୯ ରନ ସହଭାଗିତା ବାଣ୍ଟିଥିଲେ, ଯାହା ଏହି ଯୋଡି ଦ୍ୱାରା ଭାଙ୍ଗି ଯାଇଥିଲା।
ଟେଷ୍ଟ କ୍ରିକେଟରେ ଭାରତରୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଉଇକେଟ ପାଇଁ ଏହା ମଧ୍ୟ ସବୁଠାରୁ ବଡ ଭାଗିଦାରୀ। ଏହାପୂର୍ବରୁ ୨୦୦୨ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବିରେନ୍ଦର ସେହ୍ବାଗ ଏବଂ ସଞ୍ଜୟ ବାଙ୍ଗରଙ୍କ ମଧ୍ୟରେ ୨୦୧ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା।
ଭାରତୀୟ ଦଳ ପାଇଁ ଟେଷ୍ଟ କ୍ରିକେଟରେ ଷଷ୍ଠ ଥର ପାଇଁ ଏହା ଘଟିଥିଲା ଯେତେବେଳେ ଉଭୟ ଓପନିଂ ବ୍ୟାଟ୍ସମ୍ୟାନ ଏକ ଶତକ ହାସଲ କରିବାରେ ସଫଳ ହୋଇଥିଲେ। ଏହାପୂର୍ବରୁ ବାଂଲାଦେଶ ବିପକ୍ଷ ଫତୁଲ୍ଲା ଟେଷ୍ଟ ମ୍ୟାଚ ସମୟରେ ମୁରଲୀ ବିଜୟ ଏବଂ ଶିଖର ଧାୱନଙ୍କ ଯୋଡି ଶେଷ ଥର ପାଇଁ ଭାରତ ପାଇଁ ଏହି କୀର୍ତ୍ତିମାନ କରିଥିଲା।
ଦଶମ ଟେଷ୍ଟ ଶତକ ପୂରଣ କରିବା ପରେ ରୋହିତ ଶର୍ମା ୧୦୩ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହି ସମୟ ମଧ୍ୟରେ ସେ ଟେଷ୍ଟ କ୍ରିକେଟରେ ୩୫୦୦ ରନ ପୂରଣ କରିବାରେ ସଫଳ ହୋଇଥିଲେ। ଟେଷ୍ଟ କ୍ରିକେଟରେ ଭାରତ ବାହାରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ ଥିଲା। ଏହାପୂର୍ବରୁ ତାଙ୍କର ପ୍ରଥମ ବିଦେଶ ଟେଷ୍ଟ ଶତକ ଇଂଲଣ୍ଡରେ ଆସିଥିଲା।

Share