Categories: ଜାତୀୟ

ଚାଉଳର ପୂରା ଖର୍ଚ୍ଚ କେନ୍ଦ୍ର ବହନ କରିବା ଐତିହାସିକ ନିଷ୍ପତ୍ତି: ସମୀର

ଭୁବନେଶ୍ବର,୧୪।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟି ଲୋକଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଓ ଗହମ ଯୋଗାଇଦେବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ଉପକୃତ ହେବା ସହ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ ମାଗଣାରେ ପାଇବେ। ଏ ବାବଦରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ସବୁ ରାଜ୍ୟ ସରକାର ଆର୍ଥିକ ଚାପ ମୁକ୍ତ ହୋଇପାରିବେ। ସମଗ୍ର ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆସୁଥିବା ‘ୱାନ୍‌ ନେଶନ ୱାନ୍‌ ରାଶନ’ ଯୋଜନାକୁ ଏହା ଆଗେଇନେବ ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ସମୀର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଆହୁରି କହିଛନ୍ତି, ଓଡ଼ିଶା ଭଳି ରାଜ୍ୟ ଯେଉଁଠି ଦାଦନ ସମସ୍ୟା ଅଛି ସେହି ରାଜ୍ୟର ଲୋକମାନେ ଏବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲାଭ ପାଇବେ। ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ସାମଗ୍ରୀରେ ଆଗରୁ ଚାଉଳ କିଲୋ ପିଛା ଖର୍ଚ୍ଚ ହେଉଥିବା ୩୭ ଟଙ୍କା ୨୮ ପଇସାରୁ କେନ୍ଦ୍ର ସରକାର ୩୪ ଟଙ୍କା ୨୮ ପଇସା ଦେଉଥିବାବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଥିଲେ। ମାତ୍ର ୨ ଟଙ୍କା ଦେଇ ସବୁ ବାହାବା ବିଜେଡି ନେବା ସହ ଏହାକୁ ଏକ ଭୋଟ ରାଜନୀତିରେ ପରିଣତ କରିଦେଇଥିଲା। ଏବେ ମୋଦି ସରକାର ଘୋଷଣା କରିଛନ୍ତି, ଏଣିକି ସବୁ ଅର୍ଥ କେନ୍ଦ୍ର ସରକାର ବହନ କରିବେ। ଏହି ଘୋଷଣା ପରେ ରାଶନ କଳାବଜାରକାରୀ, ଭୂତ ହିତାଧିକାରୀ ଭଳି ଦୁର୍ନୀତିକୁ ରୋକାଯାଇପାରିବ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ଦୁର୍ନୀତିର ପକ୍ଷଧର ହୋଇଥିବେ ବୋଲି ସମୀର କହିଛନ୍ତି।
ତେବେ ଭାଜପାର ଏହି ମନ୍ତବ୍ୟ ପରେ ବିଜେଡି ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, କେନ୍ଦ୍ର ସରକାର ବ୍ରାଣ୍ଡିଂ କରନ୍ତୁ ବା ଯାହା ବି କରନ୍ତୁ ଚାଉଳ ପ୍ରସଙ୍ଗ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଅନ୍ତ୍ୟୋଦ୍ୱୟ ଯୋଜନା ଯାହା ଥିଲା ତାକୁ ପ୍ରଧାନମନ୍ତ୍ରୀଙ୍କ ନାଁରେ ଯୋଡ଼ାଗଲା। ତେଣୁ ଯୋଜନାରେ ନାଁକୁ ବ୍ୟବହାର କରାଯାଉଛି। ଅନ୍ତ୍ୟୋଦୟ ଯୋଜନା ରାଜ୍ୟର ନୁହେଁ ଭାରତ ସରକାର କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ହୋଇଥିଲା। ବର୍ତ୍ତମାନ ତାକୁ କାହିଁକି ବଦଳାଇଲେ ସେକଥା ଜାଣିନାହାନ୍ତି। ହେଲେ ଗୋଟିଏ କଥା ସତ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ କେବଳ ରାଜନୈତିକ ଲାଭ ଉଠାଇବାକୁ ପ୍ରୟାସ କରୁଛନ୍ତି। ବ୍ରାଣ୍ଡିଂ କରିବାର ଆବଶ୍ୟକତା କ’ଣ ଅଛି। ଆମେ କହି ନ ଥିଲୁ ନବୀନ ପଟ୍ଟନାୟକ ଏହି ଚାଉଳ ଦେଉଛନ୍ତି। ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ଲୋକ ଯଦି କହିବେ ନବୀନ ପଟ୍ଟନାୟକ ଦେଲେ ଆମର କ’ଣ କହିବାର ଅଛି ବୋଲି ଅମର କହିଛନ୍ତି।

Share