Categories: ଫୁରସତ

୨୦୨୦ରେ ୟୁଟ୍ୟୁବ୍‌ରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଏହି କୁନି ବାଳକ, ପରିମାଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗତ କିଛିବର୍ଷ ଧରି ଡିଜିଟାଲ ମିଡିଆ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଏହି ପ୍ଲାଟ୍‌ଫର୍ମରୁ ବହୁତ ଲୋକେ ବେଶ୍‌ ଅର୍ଥ ରୋଜଗାର ମଧ୍ୟ କରୁଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ରୋଜଗାର କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ। ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଟ୍ୟୁବ୍‌ ଚ୍ୟାନେଲ। ୨୦୨୦ ମସିହାରେ ଏଥିରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଜଣେ ୯ ବର୍ଷର ବାଳକ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆମେରିକାର ଟେକ୍ସାସରେ ରହୁଥିବା ୯ ବର୍ଷର ରିଆନ କାଜି ୟୁଟ୍ୟୁବ୍‌ରେ ଖେଳନା ଏବଂ ଖେଳର ଅନ୍ୟ ସାମଗ୍ରୀ ଦେଖାଇଥାନ୍ତି। ରିଆନ ଚଳିତବର୍ଷ ୟୁଟ୍ୟୁବ୍‌ରୁ ୨୯.୫ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୨୧ କୋଟି ଟଙ୍କା ରୋଜଗାର କରିଛନ୍ତି। ଏହା ବ୍ୟତୀତ ରିଆନ ୱାଲର୍‌ଡ ବ୍ରାଣ୍ଡେଡ୍‌ ଖେଳନା ଏବଂ ପୋଷାକ ମାଧ୍ୟମରେ ୨୦୦ ମିଲିୟନ ଡଲାର୍‌ ମଧ୍ୟ ରୋଜଗାର କରିଛନ୍ତି।

୨୦୧୫ରେ ରିଆନ ପ୍ରଥମେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଯେତେବେଳେ ସେ ଖେଳନା ସମୀକ୍ଷାର ଭିଡିଓ ଦେଖିବା ଆରମ୍ଭ କଲେ ସେତେବେଳେ ସେ ଏହି ଆଇଡିଆ ପାଇଥିଲେ। ଲୋକମାନେ ରିଆନଙ୍କ ଭିଡିଓ ସମୀକ୍ଷା ପଦ୍ଧତି ପସନ୍ଦ କରିବାକୁ ଲାଗିଲେ। ତାଙ୍କ ଫ୍ୟାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା। ତିନି ବର୍ଷ ପରେ ରିଆନଙ୍କ ଲୋକପ୍ରିୟତା ଶିଖରରେ ପହଞ୍ଚିଥିଲା। ସେ ୨୦୧୮ ଏବଂ ୨୦୧୯ରେ ୟୁଟ୍ୟୁବ୍‌ରେ ସର୍ବାଧିକ ଆୟ କରିଛନ୍ତି।

ରିଆନଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନେକ ଖେଳନା କମ୍ପାନୀ ତାଙ୍କ ପାଖକୁ ଆସିଥାନ୍ତି ଏବଂ ରିଆନ ଅତ୍ୟାଧୁନିକ ଖେଳନାର ସମୀକ୍ଷା କରନ୍ତି। ଏଥି ସହିତ, ଲକ୍ଷ ଲକ୍ଷ ଲୋକ ତାଙ୍କ ଏହି ଭିଡିଓଗୁଡ଼ିକୁ ୟୁଟ୍ୟୁବ୍‌ରେ ଦେଖନ୍ତି। ଗତ ୫ ବର୍ଷ ମଧ୍ୟରେ ରିଆନ ନିଜକୁ ଜଣେ ସଫଳ ବ୍ରାଣ୍ଡ ଭାବେ ପ୍ରତିପାଦିତ କରିଛନ୍ତି। ୟୁଟ୍ୟୁବ୍‌ ଷ୍ଟାର୍‌ସ ୨୦୨୦ ଫୋର୍ବସ ତାଲିକାରେ ରିଆନ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ୨୨ ବର୍ଷୀୟ ଜିମି ଡୋନାଲ୍ଡସନ ଅଛନ୍ତି। ଯିଏ କି ମିଷ୍ଟର ବିଷ୍ଟ ଭାବରେ ଜଣାଶୁଣା। ସେ ୟୁଟ୍ୟୁବ୍‌ରୁ ୨୪ ମିଲିୟନ ଆୟ କରିଛନ୍ତି।

Share