୪୦ ଭରି ସୁନା ଅଳଙ୍କାର ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଫାଣ୍ଡି ଅଧୀନ ମୋଟେର ଗ୍ରାମର ଶାନ୍ତିନଗରପଡାରେ ରହୁଥିବା ଶିକ୍ଷକ ଯଯାତି ପାଟ୍ଟଯୋଷୀଙ୍କ ଘରୁ ଗତ ଡିସେମ୍ବର ୨୫ ତାରିଖ ବିଳମ୍ବିତ ରାତିରେ ଡକାୟତମାନେ ବନ୍ଧୁକ ଦେଖାଇ ୪୦ ଭରି ସୁନା ଅଳଙ୍କାର ସହ ଗୋଟାଏ ବୁଲେଟ ବାଇକ୍‌, ଏଲ୍‌ଇଡି ଟିଭି, ୨ଟି ମୋବାଇଲ ଫୋନ ଲୁଟି ନେଇଥିଲେ। ପୂର୍ବରୁ କୋକସରା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଭୁବନ ଥାନା ଅଞ୍ଚଳରୁ ବାପିନା ବେହେରା ନାମକ ଜଣେ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୋମବାର ପୁଣି ଡକାୟତ ଗ୍ୟାଙ୍ଗର ୨ଜଣଙ୍କୁ କୋକସରା ପୋଲିସ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଟିଟିଲାଗଡ଼ର ସୁରଜ କୁମାର ମାଝି ଏବଂ ରାଉରକେଲାର ଦୀପକ ସା। ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ବୁଲେଟ ବାଇକ୍‌, ୧୩ ଭରି ସୁନା ଅଳଙ୍କାର, ଏଲ୍‌ଇଡି ଟିଭି ଜବତ କରିଛି। ପୋଲିସ ଗିରଫ ୨ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ, କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି।