ବାଜିଲା ପୌର ନିର୍ବାଚନ ବିଗୁଲ୍‌: ହିଞ୍ଜିଳିକାଟୁ ରାଜନୀତି ସରଗରମ

ହିଞ୍ଜିଳିକାଟୁ,୨ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇଛି ଗାମ ଜିଲାର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦ ରାଜନୀତି। ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ୪ ପ୍ରାର୍ଥୀ ଫର୍ମ କିଣିଛନ୍ତି। ୨ଟି ଅଧ୍ୟକ୍ଷ ପଦ ଓ ୨ଟି ୱାର୍ଡ଼ ସଭ୍ୟ ନିମନ୍ତେ ବୁଧବାର ଫର୍ମ ବିକ୍ରି ହୋଇଥିବା ନିର୍ବାଚନ ଅଧିକାରୀଙ୍କ ଅଫିସ ସୂତ୍ରରୁ ପ୍ରକାଶ।

ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ ବୁଧବାର ହିଞ୍ଜିଳିକାଟୁ ପୌରଞ୍ଚଳକୁ ଆସି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟର ତଦାରଖ କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ ତାଙ୍କୁ ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ବୁଝାଇଥିଲେ।

ହିଞ୍ଜିଳିକାଟୁ ପୌରାଞ୍ଚଳରେ ମୋଟ୍‌ ୨୧ ଓ୍ବାର୍ଡ ରହିଛି। ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ରହିଛି। ମୋଟ୍‌ ୨୦୬୯୬ ଭୋଟରଙ୍କ ମଧ୍ୟରୁ ମହିଳା ୯୮୮୭, ପୁରୁଷ- ୧୦୮୦୮ ଓ ଜଣେ ତୃତୀୟ ଲିଙ୍ଗ ଭୋଟର ସ୍ଥାନିତ ହୋଇଛନ୍ତି। ୨୧ଟି ଓ୍ବାର୍ଡ ପାଇଁ ୨୩ଟି ବୁଥ୍‌ ପ୍ରସ୍ତୁତ ହୋଇଛି। ଓ୍ବାର୍ଡ ନଂ. ୭ ଓ ୧୬ ପାଇଁ ୨ଟି ଲେଖାଏ ବୁଥ୍‌ ବ୍ୟବସ୍ଥା ହୋଇଛି। ଚଳିତ ଥର ଅଧ୍ୟକ୍ଷ ପଦବୀ ସିଧାସଳଖ ନିର୍ବାଚନ ହେଉଥିବାରୁ ଏହି ପଦବୀ ନିମନ୍ତେ ବହୁ ଆଶାୟୀଙ୍କ ନଜର ରହିଛି। ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସ ସହ ବସପା ଓ ଆପ୍‌ ପକ୍ଷରୁ ଅଧ୍ୟକ୍ଷ ପଦ ଓ ବିଭିନ୍ନ ଓ୍ବାର୍ଡ଼ ପାଇଁ ଦଳୀୟ ପ୍ରାର୍ଥୀ ପ୍ରଦାନ ପାଇଁ ରାଜନୈତିକସ୍ତରରେ ପ୍ରସ୍ତୁତି ଚାଲିଛି। ତେବେ ବିଜେଡିର ଟିକେଟ ପାଇଁ ଅଞ୍ଚଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି।

ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକ ତରଫା ବିଜୟ ପରେ ସହରାଞ୍ଚଳରେ ମଧ୍ୟ ଏକତରଫା ବିଜୟ ପାଇଁ ଅଙ୍କକଷା ଚାଲିଛି। ତେବେ ଭାଜପା ଓ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଓ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଭୂମିକା ମଧ୍ୟ ପୌର ନିର୍ବାଚନରେ ପ୍ରଭାବ ପଡ଼ିବା ସମ୍ଭାବନାକୁ ଅସ୍ବୀକାର କରି ହେଉନାହିଁି । ଆସନ୍ତା ୭ରେ ନାମାଙ୍କନ ଦାଖଲର ଶେଷଦିନ ଥିବାରୁ ଖୁବ୍‌ଶୀଘ୍ର ରାଜନୈତକି ଦଳ ପକ୍ଷରୁ ଅଧ୍ୟକ୍ଷ ଓ ଓ୍ବାର୍ଡ ସଭ୍ୟ ତାଲିକା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।