ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଶୁକ୍ରବାର ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଗିରଫ କରାଯାଇଛି। ଭରଦ୍ୱାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଜେପି ଶୁକ୍ରବାର ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନା ଆଗରେ ବିକ୍ଷୋଭ କରିବା ପରେ ୭୨ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୋଲିସ ପ୍ରତିଶ୍ରୁତି ଦେଇଥିଲା।
ତଦନୁଯାୟୀ, କଠୋରପନ୍ଥୀ ଭରଦ୍ୱାଜଙ୍କୁ ଠାବ କରିବା ପାଇଁ ପୋଲିସ ଅନେକ ଟିମ୍‌କୁ ନିୟୋଜିତ କରିଥିଲା। ସୋସିଆଲ ମିଡିଆରେ ହିନ୍ଦୁତ୍ୱର ପ୍ରଚାର କରୁଥିବା ଭରଦ୍ୱାଜଙ୍କ ଏକ ସାକ୍ଷାତକାରର ଭିଡିଓ କ୍ଲିପ୍‌ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ ବିକ୍ଷୋଭ ବେଳେ ଛାତ୍ରୀ ନିଶୁ ଆଜାଦଙ୍କ ବାପା ସଞ୍ଜୟ କୁମାରଙ୍କ ମୁଣ୍ଡ ଫଟାଇଦେଇଥିବା ଭରଦ୍ୱାଜ ଉକ୍ତ ଭିଡିଓରେ କହୁଥିବା ଶୁଣିବାକୁ ମିଳିଥିଲା। ତାଙ୍କୁ ଧରିବା ପାଇଁ ପୋଲିସ ଟିମ୍‌ ପହଞ୍ଚତ୍ଲା ବେଳକୁ ଭରଦ୍ୱାଜ ନାଇଥଲା ଗ୍ରାମରେ ଏକ ବୁଲେଟ୍‌ ମୋଟରସାଇକେଲ ଯୋଗେ ଖୁର୍ଜା ଆଡ଼କୁ ପଳାଇଯାଇଥିଲେ। ନିଜ ପରିଚୟ ଲୁଚାଇବା ପାଇଁ ସେ ଏକ ହେଲ୍‌ମେଟ୍‌ ପିନ୍ଧିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Odisha’s No.1 Odia Daily

Share