ବୋର୍ଡିଂ ସ୍କୁଲର ୧୫୮ କରୋନା ପଜିଟିଭ

ଶିମ୍‌ଲା,୫।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଦେଶର ସମସ୍ତ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟାରେ ଲକ୍ଷେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁ ଗତିରେ ଆକ୍ଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ଫଳରେ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ହିମାଚଳ ପ୍ରଦେଶ ଚମ୍ବାର ଏକ ବୋର୍ଡିଂ ସ୍କୁଲରେ ୧୫୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯାଇଥିବା ନେଇ ସୂଚନା ରହିଛି। ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ରାଜସ୍ଥାନ ଆସୁଥିବା ଲେକଙ୍କ ପାଖରେ କରୋନା ନେଗେଟିଭ ରିପୋର୍ଟ ରହିବା ନିହାତି ଆବଶ୍ୟକ। ଯେଉଁମାନଙ୍କ ପାଖରେ ନେଗେଟିଭ ରିପୋର୍ଟ ନ ଥିବ ସେମାନଙ୍କୁ ୧୪ ଦିନିଆ ହୋମ୍‌ ଆଇସୋଲେଶନ୍‌ରେ ରହିବାକୁ ପଡ଼ିବ। ଯଦି ଏହି ନିୟମକୁ କେହି ପାଳନ ନ କରିବେ ତେବେ ସେମାନଙ୍କୁ ବାଧ୍ୟତାମୂଳକ ଆଇସୋଲେଶନ୍‌ ସେଣ୍ଟରକୁ ପଠାଇ ଦିଆଯିବ।

Share