Categories: ଜାତୀୟ

ଭାଜପାରେ ଯୋଗ ଦେଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଶିମ୍‌ଲା,୨୮।୯: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇଛି। ହିମାଚଳ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହର୍ଷ ମହାଜନ ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡା ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଦଳରେ ହର୍ଷଙ୍କୁ ପୂର୍ଣ୍ଣ ସମ୍ମାନ ଦିଆଯିବ ବୋଲି ଗୋୟଲ କହିଛନ୍ତି। ହର୍ଷ ମହାଜନ ଚମ୍ବା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ୨୦୦୩-୦୮ରୁ ସେ ବିରଭଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ଅନ୍ୟତମ ବିଶ୍ୱସ୍ତ ବ୍ୟକ୍ତି ଥିଲେ ହର୍ଷ ମହାଜନ। ୧୯୯୩ ରୁ ୨୦୦୭ ପର୍ଯ୍ୟନ୍ତ ହର୍ଷ ଚମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ ଥିଲେ। ୨୦୦୩ରେ ମହାଜନ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ୧୯୮୬ରୁ ୧୯୯୬ ପର୍ଯ୍ୟନ୍ତ ମହାଜନ ପ୍ରଦେଶ ଯୁବ କଂଗ୍ରେସର ସଭାପତି ଥିଲେ। ୨୦୧୨ରେ, ସେ ରାଜ୍ୟ ସମବାୟ ବ୍ୟାଙ୍କର ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଥିଲେ। କଂଗ୍ରେସ ପ୍ରତି ତାଙ୍କର ବିଶ୍ୱସ୍ତତା ଦେଖି ହାଇକମାଣ୍ଡ ତାଙ୍କୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଥିଲେ।

Share