Categories: ଖେଳ

ଓଡ଼ିଶା ବିପକ୍ଷରେ ହିମାଚଳ ୩୦୦/୮

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ୨୫ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫିରେ ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିମାଚଳ ୮୫ ଓଭର ଖେଳି ୩୦୦ ରନ୍‌ କରିଥିବା ବେଳେ ଓଡ଼ିଶା ବୋଲର ୮ ଉଇକେଟ ପତନ ଘଟାଇଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ହିମାଚଳ ପକ୍ଷରୁ ମୁକୁଲ ନେଗୀ ୧୪୬ ରନ୍‌ରେ ଅପରାଜିତ ରହିଛନ୍ତି। ୧୯୦ ବଲ୍‌ର ଏହି ଇନିଂସରେ ସେ ୧୭ ଚୌକା ଓ ୪ ଛକା ମାରିଛନ୍ତି। ଅନ୍ୟତମ ବ୍ୟାଟର ଅପୂର୍ବ ୱାଲା ୧୪୩ ବଲ୍‌ରେ ୭୫ ରନ୍‌, ବଲ୍ଲଭ ଶର୍ମା ୫୩ ବଲ୍‌ରେ ୪୦ ରନ୍‌, ରବି ଠାକୁର ୨୫ ବଲ୍‌ରେ ୧୩ ରନ୍‌ ସଂଗ୍ରହ କରିଥିଲେ। ଓଡ଼ିଶା ବୋଲର କ୍ରିଷ୍ଣା ପଲେଇ ୬୫ ରନ୍‌ରେ ୩ ଉଇକେଟ ନେଇଥିବା ବେଳେ ଆଶୁତୋଷ ଛୁରିଆ ୨, ଆଶିଷ ରାୟ ୨ ଓ ସୌଭାଗ୍ୟ ରାଉତ ୧ ଉଇକେଟ ନେଇଛନ୍ତି। ଅର୍ଜୁନ ଯାଦବ ମ୍ୟାଚ୍‌ ରେଫରି, ସଞ୍ଜୟ କୁମାର ସିଂ ଓ ଦୀପକ ଡିଏଲ ମ୍ୟାଚ ପରିଚାଳନା କରିଥିଲେ। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍‌ ପୂଜାରୀ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଓସିଏ ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ଜିଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଜିଲା କ୍ରୀଡ଼ାସଂଘ ଉପସଭାପତି ଦୁଲାଲଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଓ କ୍ରିକେଟ ସମ୍ପାଦକ ଅବିନାଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Share