ଭାରତ ଆସୁଥିବା ଜାହାଜକୁ ଅପହରଣ

ଜେରୁଜେଲମ୍‌,୨୦ା୧୧: ଭାରତ ଆସୁଥିବା ଏକ ପଣ୍ୟବାହୀ ଜାହାଜକୁ ୟେମେନ୍‌ର ହୌଥି ବିଦ୍ରୋହୀମାନେ ରବିବାର ଲୋହିତ ସାଗରର ଶିପିଂ ରୁଟ୍‌ରୁ ଅପହରଣ କରିନେଇଛନ୍ତି। ଇସ୍ରାଏଲ୍‌ ଲିଙ୍କ୍‌ ଥିବା ଏହି ଜାହାଜରେ ୨୫ ଜଣ କର୍ମଚାରୀ ଥିଲେ। ତାଙ୍କୁ ହୌଥି ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବାରୁ ଆଞ୍ଚଳିକ ଉତ୍ତେଜନା ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଇସ୍ରାଏଲ୍‌ରେ ଗାଜାରେ ଆକ୍ରମଣ ବନ୍ଦ ନ କଲେ ଏହାର ଜାହାଜଗୁଡ଼ିକୁ ଅପହରଣ କରାଯିବ ବୋଲି ହୌଥି ଧମକ ଦେଇଥିଲା। ଭାରତ ଆସୁଥିବା ଜାହାଜର ଇସ୍ରାଏଲ୍‌ ସହ ସମ୍ପର୍କ ଥିବାରୁ ତାହାକୁ ହାଇଜାକ୍‌ କରାଯାଇଛି। ହମାସ୍‌ ବିରୋଧରେ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଜଳରାଶିରେ ଇସ୍ରାଏଲ୍‌ ମାଲିକାନାରେ ଥିବା କିମ୍ବା ଏହି ଦେଶ ସହ ସମ୍ପୃକ୍ତ ଜାହାଜଗୁଡ଼ିକୁ ଅପହରଣ ଜାରି ରହିବ ବୋଲି ଇରାନ ସମର୍ଥତ୍ତ ହୌଥି ବିଦ୍ରୋହୀ କହିଛନ୍ତି।
ବାହାମାସ୍‌ ପତାକା ଲାଗିଥିବା ଗାଲାକ୍ସି ଲିଡର ଜାହାଜ ତୁର୍କୀରୁ ଭାରତ ଆସୁଥିଲା। ଜାହାଜର ମାଲିକାନା ବ୍ରିଟେନର ଥିବାବେଳେ ଜାପାନ ଏହାର ଅପରେଟ୍‌ କରୁଥିଲା ବୋଲି ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି। ଇସ୍ରାଏଲ୍‌ର ଜଣେ ବିଲିୟନେୟାରଙ୍କର ଉକ୍ତ ଜାହାଜ ସହ ସମ୍ବନ୍ଧ ରହିଛି। ତେବେ ଏଥିରେ ଥିବା କର୍ମଚାରୀମାନେ ବୁଲ୍‌ଗେରିଆ, ଫିଲିପିନୋ, ମେକ୍ସକୋ ଏବଂ ୟୁକ୍ରେନ୍‌ର ନାଗରିକ। ଜାହାଜରେ ଇସ୍ରାଏଲ୍‌ର କେହି ନ ଥିଲେ। ଏହା ସତ୍ତ୍ୱେ ହୌଥିମାନେ ଜାହାଜକୁ ଅପହରଣ କରିନେଇ କର୍ମଚାରୀମାନଙ୍କୁ ପଣବନ୍ଦୀ ରଖିବା ଘଟଣାକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ନିନ୍ଦା କରିଛି। ଏହା ଇରାନୀୟ ଆତଙ୍କବାଦୀ କାର୍ଯ୍ୟ ବୋଲି ଇସ୍ରାଏଲ୍‌ କହିଛି। ସାରା ବିଶ୍ୱ ପାଇଁ ଏକ ଏକ ଭୟଙ୍କର ଘଟଣା ବୋଲି ଇସ୍ରାଏଲ୍‌ ସେନା କହିଛି।

Share