Categories: ଜାତୀୟ

ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ଗଲା ହିଜାବ ମାମଲା…

ବେଙ୍ଗାଲୁରୁ, ୯।୨ : କର୍ନାଟକରେ ଦେଖାଦେଇଥିବା ହିଜାବ ବିବାଦରେ ନୂଆ ମୋଡ଼ ଆସିଛି। ଏବେ ଏହାକୁ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏକକ ଖଣ୍ଡପୀଠର ବିଚାରପତି କୃଷ୍ଣା ଏସ୍‌ ଦୀକ୍ଷୀତ୍‌ ବୁଧବାର ନିର୍ଦ୍ଦେଶ ଜାରି କରିଛନ୍ତି।

ରାଜ୍ୟର ସ୍କୁଲ କଲେଜରେ ହିଜାବ ପିନ୍ଧିବା ନେଇ ଲାଗୁ ହୋଇଥିବା କଟକଣାର ବିଚାର ଏବେ ହାଇକୋର୍ଟଙ୍କ ବୃହତ୍‌ ଖଣ୍ଡପୀଠରେ କରାଯିବ। ଏହି ମାମଲା ଶୁଣାଣି କରି କୃଷ୍ଣା ଏସ୍‌ ଦୀକ୍ଷୀତ୍‌ କହିଛନ୍ତି ଯେ, ଏଭଳି ମାମଲାରେ ପର୍ସନାଲ ଲ’ ସହିତ ସାମ୍ବିଧାନିକ ମୌଳିକ ପ୍ରଶ୍ନ ସୃଷ୍ଟି ହେବାର ଆଶଙ୍କା ରହିଛି।

ଆବେଦନକାରୀଙ୍କ ଆଇନଜୀବୀ ରାୟ ନ ଆସିବା ପର୍ଯ୍ୟନ୍ତ ନିଜ ପସନ୍ଦର ପୋଷାକ ପିନ୍ଧିବା ନେଇ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଥିଲେ। ତେବେ ଏକକ ଖଣ୍ଡପୀଠ କହିଥିଲେ ଯେ, ଏହାର ବିଚାର ମଧ୍ୟ ବୃହତ୍‌ ଖଣ୍ଡପୀଠରେ କରାଯିବ।

ମଙ୍ଗଳବାର ହାଇକୋର୍ଟ କହିଥିଲେ ଯେ ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ ଆମେ ତାହା କରିବୁ। ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍‌ଗୀତା ସଦୃଶ। ସମ୍ବିଧାନ ଅନୁସରଣ କରିବାକୁ ମୁଁ ଶପଥ ନେଇଛି। ତୁମର ଭାବନାକୁ ଅଲଗା ରଖ। ଆମେ ପ୍ରତିଦିନ ଏଭଳି ସବୁ ଘଟୁଥିବାର ଆଉ ଦେଖିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

ଆଡଭୋକେଟ ଜେନେରାଲ କର୍ନାଟକ ହାଇକୋର୍ଟଙ୍କୁ କହିଥିଲେ ଯେ ୟୁନିଫର୍ମ ସ୍ଥିର କରିବା କଲେଜଗୁଡିକର କାମ। ଯେଉଁ ଶିକ୍ଷାର୍ଥୀମାନେ ଏଥିରେ କୋହଳ ଚାହୁଁଛନ୍ତି, ସେମାନେ କଲେଜ ବିକାଶ କମିଟି ନିକଟକୁ ଯାଇପାରିବେ। କଲେଜ କ୍ୟାମ୍ପସରେ ହିଜାବ ଏବଂ ଶାଲ୍‌ ପିନ୍ଧିବା ମାମଲାର ଶୁଣାଣି ସମୟରେ କର୍ନାଟକ ହାଇକୋର୍ଟ ଏଭଳି ମତ ଦେଇଥିଲେ।
କର୍ନାଟକର ଉଡ୍ଡୁପିର ଏମ୍‌ଜିଏମ୍‌ କଲେଜରେ ହିଜାବ ପିନ୍ଧିବାକୁ ନେଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଏକ ବିବାଦ ସୃଷ୍ଟି ହୋଇଥିଲା। ଯେତେବେଳେ ଛାତ୍ରୀମାନେ ହିଜାବ ପିନ୍ଧି କଲେଜରେ ପହଞ୍ଚିଲେ, ସେମାନଙ୍କୁ ଶ୍ରେଣୀରେ ପ୍ରବେଶ କରାଗଲା ନାହିଁ। ବିବାଦ ବଢ଼ିବା ଦେଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜକୁ ବନ୍ଦ କରାଯାଇଥିଲା।

Share