ରାଜପଥ ବିପଦସଙ୍କୁଳ, ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୩।୧୨ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ସହରସ୍ଥିତ ୧ନଂ ୱାର୍ଡ ଆନନ୍ଦନଗରଠାରୁ କଲେଜ ବାଇପାସ ଓ ମହିଷାପାଟଠାରୁ କଣ୍ଟାନାଳୀ ବାଇପାସ ପର୍ଯ୍ୟନ୍ତ ରାସ୍ତା ବିପଦସଙ୍କୁଳ ହୋଇପଡିଛି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ପଡିଥିବା ବେଳେ ରାସ୍ତା ଖାଲଖମା ସହ ଧୂଳିଧୂଆଁରେ ଭରିଯାଉଛି। ଫଳରେ ପ୍ରତିଦିନ ଏଠାରେ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା, ସମ୍ପ୍ରସାରଣ କାର୍ଯ୍ୟ ନେଇଥିବା ଠିକାସଂସ୍ଥାର ବେଖାତିର ମନୋଭାବ ଏବଂ କେନ୍ଦ୍ର ସରକାରଙ୍କ ନୀରବତା ଯୋଗୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର ୩ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ। ଠିକାସଂସ୍ଥା ପକ୍ଷରୁ ରାଜପଥ ମରାମତି ସହ ଦୈନିକ ୪ଥର ଜଳ ସିଞ୍ଚନ ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଜ୍ୟୋତି ରଞ୍ଜନ ମହାପାତ୍ର, ଆଇନଜୀବୀ ସୁରେନ୍ଦ୍ର ମିଶ୍ର, ମାନସ ରଞ୍ଜନ ଦାସ, ମୁସ୍ତାକ ଆବିଦ, ଆଲୋକ ସାହୁ, ରଞ୍ଜନ ମହାପାତ୍ର, ସୀତାଂଶୁ ଶେଖର ପଣ୍ଡା, ଅନିଶ ରଜାକ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ।