ବାଇକ୍‌କୁ ପଛପଟୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ଯୁବକଙ୍କ ଜୀବନ

ନିରାକାରପୁର,୨୨।୧୦(ମାନାସ ଚନ୍ଦ୍ର ପଟ୍ଟନାୟକ): ବାଇକ୍‌ରେ ଯାଉଥିବା ବେଳେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡ଼ା ପଞ୍ଚାୟତ ମୋଟା ଗ୍ରାମର ପଙ୍କଜ ପ୍ରଧାନ(୨୧)।

ଏନେଇ ମୃତକଙ୍କ ଦାଦା ପୁଅ ଭାଇ ନାରାୟଣ ପ୍ରଧାନ ଥାନାରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଭାଇ ପଙ୍କଜ ଏବଂ ତାଙ୍କ ଗ୍ରାମର ପରଶୁ ବିଶ୍ୱାଳ(୨୦) ଦୁହେଁ ଓଡି-୨୫ଏଚ୍‌-୫୨୬୨ ନମ୍ବର ବିଶିଷ୍ଟ ଏକ ବାଇକ୍‌ ଯୋଗେ ରଣପୁରରୁ ଗାଁ ଫେରୁଥିଲେ। ହେଲେ ହଜ ଛକ ନିକଟରେ ଓଡ଼ି-୧୩ଏଫ୍‌-୯୨୦୭ ବିଶିଷ୍ଟ ଏକ ହାଇଓ୍ବା ଦ୍ରୁତ ଗତିରେ ଆସି ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ପଛରେ ବସିଥିବା ପଙ୍କଜଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଚାଳକ ନାରାୟଣ ଆହତ ହୋଇଛନ୍ତି।

ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚିଲା ବେଳକୁ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଚାଳକ ଘଟଣା ସ୍ଥଳରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲେ। ପୋଲିସ ହାଇଓ୍ବାକୁ ଜବତ କରି ଥାନାରେ ରଖିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୩୮୮/୨୩) ରୁଜୁ ହୋଇଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ତିତମ୍ଭରା କର ସୂଚନା ଦେଇଛନ୍ତି ା