ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ କ୍ରିକେଟ ମଇଦାନରେ ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା। ଇଷ୍ଟ ଜୋନର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଓ ସାଉଥ ଜୋନର ଅଧିନାୟକ ତିଲକ ବର୍ମାଙ୍କ ମଧ୍ୟରେ ହୋଇଛି ବିବାଦ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମ୍ୟାଚ ସମୟରେ ତିଲକ ବର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ପ୍ରଥମେ ହସ-ମଜାକ ଚାଲିଥିଲା। କିନ୍ତୁ ଧୀରେ ଧୀରେ ପରିସ୍ଥିତି ଗରମ ହୋଇଥିଲା। ତିଲକ ବର୍ମା ବୈଭବଙ୍କ ଆଡ଼କୁ ଯାଇ ତୀବ୍ର ଭାବଭଙ୍ଗୀ କରୁଥିବା ଦେଖାଯାଇଥିଲା। ବୈଭବ ମଧ୍ୟ ପଛକୁ ନହଟି ତାଙ୍କ ସାମ୍ନା କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ମାହୋଲ ଗରମ ହେବାରୁ ଅମ୍ପାୟାର ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ।
ଇଷ୍ଟ ଜୋନ ପ୍ରଥମ ପାଳିରେ ବ୍ୟାଟିଂ କରୁଥିବା ବେଳେ ୧୧ତମ ଓଭରରେ ଏହି ଘଟଣା ଘଟିଥିଲା। ତିଲକ ବର୍ମା ବୈଭବଙ୍କୁ ଲଗାତାର ମଜାକ କରୁଥିଲେ। ପ୍ରଥମେ ଏହା ସାଧାରଣ ମଜାକ ଭଳି ଲାଗୁଥିଲେ ମଧ୍ୟ ପରେ ଏହା ତୀବ୍ର ଉତ୍ତେଜନାର ରୂପ ନେଇଥିଲା। ଉଭୟଙ୍କୁ ଏଭଳି ଭାବେ ମୁହାଁମୁହିଁ ହେଉଥିବା ଦେଖି ଅମ୍ପାୟାରଙ୍କୁ ମଝିରେ ପଶିବାକୁ ପଡ଼ିଥିଲା।
ଫାଇନାଲରେ ଇଷ୍ଟ ଜୋନର ଅଧିନାୟକ ଈଶାନ କିଶନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଓପନର୍ ଭାବେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିମନ୍ୟୁ ଈଶ୍ୱରନ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଉଇକେଟ୍ ପାଇଁ ୧୦୦ ରନର ଦମଦାର ଭାଗିଦାରୀ କରିଥିଲେ।
ବୈଭବ ଦ୍ରୁତ ବ୍ୟାଟିଂ କରି ୩୭ ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ୪୪ ରନ କରିଥିଲେ। ଅଭିମନ୍ୟୁ ଈଶ୍ୱରନ ୭୨ ରନ କରି ରନଆଉଟ ହୋଇଥିଲେ। ଏହାପରେ ତୃତୀୟ ସ୍ଥାନରେ ଆସିଥିବା ଶିଖର ମୋହନ ମଧ୍ୟ ୮୫ ରନର ଦମଦାର ଇନିଂସ ଖେଳିଥିଲେ।
ପ୍ରଥମ ଦିନର ଖେଳରେ ଇଷ୍ଟ ଜୋନ ଅଧିନାୟକ ଈଶାନ କିଶନ ଚମତ୍କାର ଶତକ ହାସଲ କରିଥିଲେ। ସେ ୧୧୧ ରନ କରି ନଟଆଉଟ ରହିଥିଲେ। କୁମାର କୁଶାଗ୍ର ମଧ୍ୟ ୬୩ ରନ କରି ଅପରାଜିତ ଥିଲେ। ଦିନର ଖେଳ ଶେଷ ସୁଦ୍ଧା ଇଷ୍ଟ ଜୋନ ୪ ଉଇକେଟ୍ ହରାଇ ୩୮୫ ରନ ସଂଗ୍ରହ କରିଛି। ସାଉଥ ଜୋନ ପକ୍ଷରୁ ଚାମା ମିଲିନ୍ଦ ସବୁଠାରୁ ସଫଳ ବୋଲର୍ ରହିଥିଲେ। ସେ ୧୩ ଓଭର ବୋଲିଂ କରି ୫୬ ରନ ଦେଇ ୨ଟି ଉଇକେଟ୍ ନେଇଥିଲେ।