ମୁନିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଏଚ୍‌ଏଚ୍‌ଏମ୍‌ର ଉଚ୍ଚସ୍ତରୀୟ ଟିମ୍‌

ମୁନିଗୁଡ଼ା,୨୭।୮(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌)ର ଏକ ଉଚ୍ଚ ସ୍ତରୀୟ ଟିମ୍‌ ଶୁକ୍ରବାର ରାୟଗଡ଼ା ଜିଲା ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ମୁନିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା, ସ୍ବଚ୍ଛତା ଆଦି ବିଷୟର ଅନୁଧ୍ୟାନ କରିଛନ୍ତି। ଟିମ୍‌ରେ ବେଙ୍ଗାଲୁରୁର ପ୍ରଫେସର ସି.ଏମ. ଲକ୍ଷ୍ମଣ ଓ ରମେଶ ପ୍ରମୁଖ ରହିଥିବାବେଳେ ସେମାନେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବସ୍ଥତା, ପରିବେଶ, ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ, ଔଷଧ ବିତରଣ କେନ୍ଦ୍ର, ପ୍ରସୂତି କେନ୍ଦ୍ର, ଆଶୁ ଚିକିତ୍ସା, ଆଉଟଡୋର, ବିଶ୍ରାମସ୍ଥଳୀ, ଟୀକାକେନ୍ଦ୍ର, ରୋଗୀଙ୍କ ୱାର୍ଡ ସହ ସମସ୍ତ ଆଭ୍ୟନ୍ତର ବ୍ୟବସ୍ଥା ଏବଂ ଆନୁଷାଙ୍ଗିକ ଭିତ୍ତିଭୂମି ପରଖିଥିଲେ। ଏହି ଟିମ୍‌ ସହ ରୟଗଡ଼ାରୁ ଭଗବାନ ମେହେର ଓ ଦେବାଶିଷ ସାହୁ ଏବଂ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଞ୍ଜୟ କୁମାର, ଡା. ସବ୍ୟସାଚୀ ମହାପାତ୍ର, ଡା. ସଚିନ ତ୍ରିପାଠୀ, ଡା. ଆଶିଷ ପଣ୍ଡା, ବିପିଏମ୍‌ ତପନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଟିମ୍‌ ସଦସ୍ୟଙ୍କୁ ସହାୟତା କରିଥିଲେ। ପରେ ପରିଦର୍ଶନରେ ଆସିଥିବା ଏନ୍‌ଏଚ୍‌ଏମ୍‌ ଟିମ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ବନ୍ଧୀୟ ଆଲୋଚନା କରିଥିଲେ। ଏଥିସହ ଭାରତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଉନ୍ନତ ସ୍ବାସ୍ଥ୍ୟସେବା ନିମନ୍ତେ ଆବଶ୍ୟକ ପରାମର୍ଶ ଦେଇଥିଲେ। ଟିମ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସମୟରେ ସମସ୍ତ ପ୍ରକାର ଭିତ୍ତିଭୂମି, ବ୍ୟବସ୍ଥା ଓ ସ୍ବାସ୍ଥ୍ୟସେବାକୁ ନେଇ ସନ୍ତୁଷ୍ଟ ହୋଇଥିବା ସୂଚନା ମିଳିଛି।