Categories: ଜାତୀୟ

ହାଇକୋର୍ଟଙ୍କ ବିବାଦୀୟ ରାୟ: ପୋଷାକ ଉପରେ ହସ୍ତଚାଳନା ନୁହେଁ ଅଶ୍ଳୀଳ ଆଚରଣ

ମୁମ୍ବାଇ, ୨୫।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ପକ୍ଷରୁ ଯୌନ ନିର୍ଯାତନାର ନୂଆ ପରିଭାଷା ପ୍ରକାଶ ପାଇଛି। ହାଇକୋର୍ଟର ନାଗପୁର ବେଞ୍ଚ୍‌ ପକ୍ଷରୁ ଏକ ମାମଲାରେ ରାୟ ପ୍ରକାଶ ପାଇଛି ଯେ, ପୋଷାକ ଉପରେ ହସ୍ତଚାଳନା କରିବା ଅଶ୍ଳୀଳ ଆଚରଣ ଅବା ଯୌନ ନିର୍ଯାତନା ନୁହେଁ। ଶରୀର ସହିତ ଶରୀରର ସଂଯୋଗ ହେଲେ ହିଁ ଏହାକୁ ଯୌନ ନିର୍ଯାତନା କୁହାଯାଇ ପାରିବ ବୋଲି ବିଚାରପତି ପୁଷ୍ପା ଗାନେଡ଼ିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ଏହି ମାମଲାରେ ସେସନ୍‌ କୋର୍ଟ ୩୯ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ। ଅଭିଯୁକ୍ତ ଜଣେ ୧୨ ବର୍ଷ ବୟସ୍କା ନାବାଳିକାଙ୍କ ପୋଷାକ ଉପରେ ହସ୍ତଚାଳନା କରିଥିବା ଅଭିଯୋଗ ହୋଇଥିଲା। ପୋସ୍କୋ ଅଧିନିୟମ ଅନୁସାରେ ଏବଂ ଭାରତୀୟ ପିଙ୍ଗଳକୋଡ ଧାରା ୩୫୪ ଅନୁସାରେ ଏଭଳି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ସର୍ବନିମ୍ନ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯାଇପାରେ। ୨୦୧୬ ଡିସେମ୍ବରରେ ଏହି ମାମଲା ଅଭିଯୁକ୍ତ ସତୀଶଙ୍କ ବିରୋଧରେ ରୁଜୁ ହୋଇଥିଲା। ୨୦୨୧ ଜାନୁୟାରୀ ୧୯ରେ ବିଚାରପତି ପୁଷ୍ପା ଗାନେଡ଼ିଓ୍ବାଲା ଯୌନ ନିର୍ଯାତନାର ନୂତନ ପରିଭାଷା ନେଇ ରାୟ ଦେଇଥିଲେ। ଏହାକୁ ରେକର୍ଡିଂ ମଧ୍ୟ କରାଯାଇଥିଲା।

Share