ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜିକୃତ ଚାଷୀଙ୍କୁ ଟୋକନ ପ୍ରଦାନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ବରଗଡ଼ ଜିଲାପାଳଙ୍କୁ ଏହି ବିଷୟରେ ବିଚାର କରିବାକୁ କହିଛନ୍ତି।
ବରଗଡ଼ ଜିଲାର ଗିରିଶ କୁମାର ଡନସନାଙ୍କ ସମେତ ୧୪ ଜଣ ଚାଷୀ ହାଇକୋର୍ଟରେ ଏକ ରିଟ ପିଟିସନ(ନଂ-୯୫୬୨/୨୦୨୬) ଦାୟର କରିଥିଲେ । ତାକୁ ବିଚାରକୁ ନେଇ ବିଚାରପତି ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଜେ.କେ. ବାଲ୍ ଯୁକ୍ତି ଦର୍ଶାଇଥିଲେ, ସରକାର କୌଣସି ଚାଷୀଙ୍କୁ ବାଦ ନ ଦେଇ ସମସ୍ତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ପ୍ରତିଶ୍ରୁତିବଦ୍ଧ।
ରାଜ୍ୟ ସରକାର ୨୦୨୫-୨୬ ଖରିଫ ସିଜିନ ପାଇଁ ୯୩ ଲକ୍ଷ ଟନ ଧାନ ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି। ପଞ୍ଜୀକୃତ ଚାଷୀମାନେ ସେମାନଙ୍କ ଧାନ ନିର୍ଦ୍ଧାରୀତ ମଣ୍ଡି ତଥା ପ୍ୟାକ୍ସ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରୁଛନ୍ତି । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ଯେ, ବରଗଡ଼ ଜିଲାପାଳ ଚାଷୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆବେଦନପତ୍ରର ଯାଞ୍ଚ କରିବେ ଏବଂ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ, ଆଇନ ଅନୁସାରେ ସେମାନଙ୍କ ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ବିଚାରପତି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ସାହୁ ପକ୍ଷ ରଖିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ପଞ୍ଜୀକରଣରୁ ବାଦ ପଡ଼ିଥିବା ବରଗଡ଼ ଜିଲା ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଗିରିଶ କୁମାର ଡନସନା ଏବଂ ଅନ୍ୟ ୧୪ଜଣ ଚାଷୀ ଧାନବିକ୍ରି ବିବାଦର ଶୀଘ୍ର ସମାଧାନ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟର ବିଚାରପତି ପ୍ରତିପକ୍ଷ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଇବାକୁ ଆଦେଶ କରିବା ସହିତ ସେଥିରେ ବିଫଳ ହେଲେ ଆବେଦନକାରୀଙ୍କୁ ଧାନବିକ୍ରି ଟୋକନ ପ୍ରଦାନ ପାଇଁ ନ୍ୟାୟାଳୟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେବ ବୋଲି ସୂଚିତ କରିଥିଲେ। ତେବେ ସରକାରୀ ଓକିଲ ସେ ନେଇ ନିଜ ପକ୍ଷ ବିଚାରପତିଙ୍କ ସମ୍ମୁଖରେ ରଖିବା ପରେ ବରଗଡ ଜିଲାପାଳଙ୍କୁ ସେଭଳି ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଥାଉକି, ପଞ୍ଜୀକରଣରୁ ବାଦ ପଡି ବରଗଡ଼ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ହୋଇଥିବା ଧାନ ବିକ୍ରି କରି ପାରି ନାହାନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ଗତମାସ ୯ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ଏଭଳି ସମସ୍ୟା କ୍ଷେତ୍ରରେ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ପରେ ଚାଷୀଙ୍କ ଧାନ କିଣାଯିବ ନା ତାହା ଆଉ କିଛି ମୋଡ ନେବ, ତାକୁ ଚାଷୀମାନେ ଚାହିଁ ବସିଛନ୍ତି।